ଭୁବନେଶ୍ୱର: ଜୀବନର କାହାଣୀ ବଦଳାଇଦେଲା ଦୁର୍ଘଟଣା, ମେଡିକାଲ ବେଡ଼ରେ ଏବେ ଚାଲିଛି ଜୀବନ ଜିଇଁବାର ସଂଘର୍ଷ | ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଜ୍ୟୋତିଷ ଚନ୍ଦ୍ର ଦାସଙ୍କ କଥା | ତାଙ୍କର ବି ସ୍ବପ୍ନ ଥିଲା, ପେଟପାଟଣାର ଆଶା ନେଇ ସୁଦୂର ତାମିଲନାଡୁ ଯାଇଥିଲେ ଜ୍ୟୋତିଷ | ଆଶା ଥିଲା କିଛି ରୋଜଗାର କରିବେ ଆଉ ପରିବାର ପାଇଁ ଦୃଢ ଭାବେ ଠିଆ ହେବେ | ହେଲେ ଜ୍ୟୋତିଷଙ୍କ ଏହି ଆଶା ଅଧାରେ ଅଟକିଯାଇଛି | ଏକ ଆଇରନ ଫ୍ୟାକ୍ଟ୍ରିରେ କାମ କରୁଥିବା ଜ୍ୟୋତିଷ ରଜ ସଂକ୍ରାନ୍ତି ଦିନ ଦୁର୍ଭାଗ୍ୟବଶତଃ ଦୁଇ ମହଲା ଉପରୁ ତଳକୁ ଖସିପଡିଥିଲେ | ଆଉ ଏହାପରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି |

Advertisment

ଗୁରୁତର ଅବସ୍ଥାରେ ତାମିଲନାଡୁ ପୁଡୁଚେରୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏହି ଯୁବକ | ଡାକ୍ତରଙ୍କ କହିବା ମୁତାବକ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଚିକିତ୍ସାରେ ୧୦ ରୁ ୧୨ ଲକ୍ଷ ଟଙ୍କା ଆବଶ୍ୟକ | ଆର୍ଥିକ ସ୍ଵଛଳ ନଥିବା ପରିବାର ଯେଣତେଣ ସମସ୍ତଙ୍କୁ ସାହାଯ୍ୟ ମାଗି ଜ୍ୟୋତିଷଙ୍କ ଚିକିତ୍ସା ପାଇଁ ଲାଗିପଡିଛନ୍ତି | କିନ୍ତୁ ଏତେ ଗୁଡିଏ ଅର୍ଥ କେମିତି ଆଣିବେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି | ବାପା-ମାଙ୍କର ଏକମାତ୍ର ରୋଜଗାରିଆ ପୁଅର ଅବସ୍ଥା ଦେଖି ମା ଆଖିରୁ ଲୁହ ଶୁଖୁନି | ବାପା-ମା ଦୁହେଁ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡିତ ଥିବାବେଳେ ନା କୁଆଡେ ଯାଇପାରୁଛନ୍ତି ନା କାହା ପାଖକୁ ଯାଇ ହାତ ପତାଇପାରୁଛନ୍ତି | ସମସ୍ତଙ୍କୁ ହାତଯୋଡ଼ି କେବଳ ସାହାଯ୍ୟର ଭିକ୍ଷା ହିଁ କରୁଛନ୍ତି ବୃଦ୍ଧ ବାପା-ମା |

ssaaa

 ଜ୍ୟୋତିଷଙ୍କ ଏହି ଅବସ୍ଥାରେ ବନ୍ଧୁ-ସମ୍ପର୍କୀୟ ବି ଯଥାସମ୍ଭବ ସାହାଯ୍ୟ କରୁଛନ୍ତି | ହେଲେ ସମୁଦ୍ରକୁ ଶଙ୍ଖେ ଭଳି ଯେତେ ଯୋଗାଡ କଲେ ବି ତାହା ପର୍ଯ୍ୟାପ୍ତ ହେଉନାହିଁ | ଏଥିପାଇଁ ଓଡିଶାବାସୀଙ୍କ ସହ ରାଜ୍ୟ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ଜ୍ୟୋତିଷଙ୍କ ପରିବାରବର୍ଗ | ଜ୍ୟୋତିଷଙ୍କ ବନ୍ଧୁମାନଙ୍କ କହିବା କଥା ଯେ ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇ ଏବେ ଦୁର୍ଘଟଣାର ଶିକାର ହୋଇଛନ୍ତି ଓଡ଼ିଆ ପୁଅ | ଅସମୟରେ ତାଙ୍କୁ ସମର୍ଥନ କରିବା ସହ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି | ଆପଣ ଯଦି ଜ୍ୟୋତିଷଙ୍କୁ ସାହାଯ୍ୟ କରିବାକୁ ଚାଁହୁଛନ୍ତି ତେବେ ଏଥିରେ 8260174525 (ଆଶିଷ ବେହେରା-ଭିଣୋଇ) କରିପାରିବେ |