କଳାହାଣ୍ଡି ନର୍ସିଂ ସ୍କୁଲରେ ଆୟୋଜିତ ଉତ୍ସବର ଭିଡିଓ ଭାଇରାଲ, ଏକାଠି ହୋଇ ନାଚ ଗୀତରେ ଝୁମୁଛନ୍ତି ଦେଢଶହରୁ ଅଧିକ ଛାତ୍ରଛାତ୍ରୀ
ଭବାନୀପାଟଣା: ଅମାନିଆ ମାନୁନାହାନ୍ତି କରୋନା କଟକଣା । କଳାହାଣ୍ଡି କାମଠଣା ନର୍ସିଂ ସ୍କୁଲରେ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନର ଭିଡିଓ ଭାଇରାଲ ହୋଇଛି । ଏପ୍ରିଲ ୩୦ ତାରିଖରେ ପ୍ରାୟ ୧୮୦ ଛାତ୍ରଛାତ୍ରୀ ଏକ ଉତ୍ସବରେ ଭାଗ ନେଇଥିଲେ । ଭାଇରାଲ ଭିଡିଓରେ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଦିନ ସାମାଜିକ ଦୂରତା ନରଖି ଓ ମାସ୍କ ନ ପିନ୍ଧି ନୃତ୍ୟଗୀତ ଓ ଭୋଜିଭାତର ଆୟୋନ କରିଥିଲେ । ଉତ୍ସବ ଆୟୋଜନ ପାଇଁ ସିଡିଓମଓ ଓ ଏଡିଏମଓଙ୍କ ଅନୁମତି ନିଆଯାଇନଥିବା ଅଭିଯୋଗ ହୋଇଛି । ତେବେ ନର୍ସିଂ ସ୍କୁଲର ଇନଚାର୍ଜ କହିଛନ୍ତି କୋଭିଡ ଗାଇଡଲାଇନ ଅନୁସାରେ ଉତ୍ସବର ଆୟୋଜନ କରାଯାଇଛି ।
କରୋନା ମହାମାରୀ ଦିନକୁ ଦିନ ବଢି ଚାଲିଥିବା ବେଳେ ସତର୍କ ରହିବାକୁ ସରକାର ଅନେକ ଗାଇଡଲାଇନ୍ ଆଣିଛନ୍ତି । ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସରକାର ଲଗାତାର ପ୍ରୟାସ କରୁଛନ୍ତି । ମାସ୍କ ଲଗାଇବା ଏବଂ ସାମାଜିକ ଦୂରତା ରଖିବା ପାଇଁ ବାରମ୍ବାର କୁହାଯାଉଛି । କିନ୍ତୁ ଅମାନିଆଙ୍କୁ କୌଣସି ଫରକ ପଡୁନି । ଯେତେ ସଚେତନ କଲେ ଏମାନେ ସଚେତନ ହେବାର ନାଁ ନେଉନାହାନ୍ତି । ଯାହାର ଫଳାଫଳ ଆଗକୁ ଭୟବହ ନହେବ ତା କିଏ ବା କହିବ।