ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କର ଆଜି ପରଲୋକ ହୋଇଯାଇଛି | ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷ ବୟସରେ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ ହୋଇଯାଇଛି | ଉଲ୍ଲେଖ ଥାଉ କି ଜଣେ ଜନପ୍ରିୟ ନେତା ଭାବେ କାହ୍ନୁଚରଣଙ୍କର ସ୍ୱତନ୍ତ୍ର ପରିଚୟ ଥିବାବେଳେ ସେ ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ଵାର ବିଧାୟକ ଥିଲେ | ସେହିପରି ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ ଓ ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ | କାହ୍ନୁଚରଣ ଲେଙ୍କାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ୱିଟ କରି ଲେଖିଛନ୍ତି ଯେ,'ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସାଂସଦ କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଖଃଦ ସମୟରେ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି'।

Advertisment

ସେହିପରି ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଜଣେ ସୁସଂଗଠକ, ରାଜନୀତିଜ୍ଞ, ସମାଜସେବୀ ଓ ସାହିତ୍ୟିକ ଭାବେ କାହ୍ନୁ ଚରଣ ଲେଙ୍କା ଓଡ଼ିଶାରେ ନିଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଯାଇଛନ୍ତି । କେନ୍ଦ୍ର ସରକାରରେ ରେଳବାଇ ଓ କୃଷି ମନ୍ତ୍ରୀ ସମୟରେ ପୂର୍ବତଟ ରେଳବାଇର ଉନ୍ନତିଠାରୁ ଆରମ୍ଭ କରି ଅନେକ ଦିଗରେ ସେ ବହୁ କାର୍ଯ୍ୟ କରିଯାଇଛନ୍ତି । ଜଣେ ସାଧାରଣ କୃଷକ ପରିବାରରୁ ଆସି କାହ୍ନୁ ଚରଣ ଲେଙ୍କା ଓଡ଼ିଶାରେ ବିଧାୟକ ଓ ମନ୍ତ୍ରୀ ହେବା ତାଙ୍କ ଲୋକପ୍ରିୟତା ଓ ସମାଜମନସ୍କ କାର୍ଯ୍ୟର ପରିଚୟ ଦିଏ ।

 ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ରହିବ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି ଯେ 'ବିଶିଷ୍ଟ ରାଜନେତା, ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ। ଦୀର୍ଘଦିନର ରାଜନୈତିକ ଜୀବନରେ ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି'।