ମୁମ୍ବାଇ: ମହାମାରୀ କରୋନା ଭାଇରସ୍କୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ବେବି ଡଲ୍ କନିକା କପୁର୍ଙ୍କୁ ଏବେ ଘରକୁ ପଠାଇ ଦିଆଯାଇଛି। ତାଙ୍କୁ ୧୪ ଦିନ ପାଇଁ ଆସୋଲେସନ୍ରେ ରଖାଯିବା ପରେ ତାଙ୍କ ରିପୋର୍ଟରୁ କରୋନା ନେଗେଟିଭ୍ ବାହାରିଛି।
ତାଙ୍କର ଆଇସୋଲେସନ୍ ସମୟ ସରିଯିବା ପରେ ଲକ୍ଷ୍ନୌ ପୁଲିସ୍ ତାଙ୍କୁ ପଚରାଉଚରା କରିବାର ଯୋଜନା କରିଛି। ଏହି କଣ୍ଠଶିଳ୍ପୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ସେ ଲଣ୍ଡନ୍ରୁ ଫେରିବା ପରେ ନିଜର ଯାତ୍ରା ଇତିହାସ ନ ଜଣାଇବା ଓ ଗଣ ଉତ୍ସବରେ ଯୋଗ ଦେବା କଥା ଲୁଚାଇଥିବା ନେଇ ପୁଲିସ୍ ତାଙ୍କୁ ପଚରାଉଚରା କରିବ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କନିକା କପୁରଙ୍କ ରିପୋର୍ଟରୁ କରୋନା ପଜିଟିଭ୍ ଆସିଥିଲା। ସେ କରୋନା ପିଜିଟିଭ୍ ବୋଲି ନିଜ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ ଜରିଆରେ ଜଣାଇଥିଲେ। ସେ ସେଥିରେ ଲେଖିଥିଲେ ଯେ ‘ମୁଁ ଘରକୁ ଫେରିବା ବେଳେ ନିୟମ ହିସାବରେ ମୋତେ ବିମାନବନ୍ଦରରେ ୧୦ ଦିନ ତଳେ ସ୍କାନ୍ କରାଯାଇଥିଲା। ମୋ ଭିତରେ ଏହି ଭାଇରସ୍ ମାତ୍ର ୪ ଦିନ ତଳୁ ଦେଖାଦେଇଛି। ଏବେ ମୋତେ ସୁସ୍ଥ ଲାଗୁଛି।’ ପରେ ସେ ତାଙ୍କର ସେହି ପୋଷ୍ଟ୍କୁ ଡିଲିଟ୍ କରି ଦେଇଥିଲେ।