ମଣିଷ ବିଚାର

କଥାଟିଏ-ଯାଯାବର

ରାମ ବାବୁ ଓ ଶ୍ୟାମ ବାବୁଙ୍କ ଭିତରେ ଭାରି ବନ୍ଧୁତା। ଥରେ ଦୁହେଁ ଗୋଟିଏ କାମରେ ଏକ ନୂଆ ସହରକୁ ଗଲେ। ସେଠାରେ ସେମାନେ କେଉଁଠି ରହିବେ, କେଉଁଠି ଖାଇବେ ଆଦି ବିଷୟରେ ଶ୍ୟାମ ବାବୁ ପଚାରିବାରୁ ରାମ ବାବୁ କହିଲେ- ଭାଇ ସେ ଚିନ୍ତା କରନା। ମୁଁ ଚାକିରିରେ ଥିବା ବେଳେ ରଘୁ ବାବୁ ବୋଲି ଜଣେ ଲୋକଙ୍କୁ ସାହାଯ୍ୟ କରିଥିଲି। ସେ ବହୁତ ଅକଳିଆ ପରିସ୍ଥିତିରେ ପଡ଼ିଯାଇଥିଲେ। ସେଇ ସାହାଯ୍ୟ ଫଳରେ ସେ କେବଳ ଅସୁବିଧାରୁ ମୁକ୍ତି ପାଇଲେ ତାହା ନୁହେ, ଯେଉଁ କାମଟି ଅଟକି ଯାଇଥିଲା, ତାହା ପୂରା ଦମରେ ଚାଲିଲା ଏବ˚ ଆଜି ରଘୁ ବାବୁ ସେଇ ସହରର ଜଣେ ନାମଜାଦା ଲୋକ। ଆମେ ତାଙ୍କ ପାଖରେ ରହିବା।

ଦୁହେଁ ସେଇ ସହରରେ ପହଞ୍ଚିଲେ ଏବ˚ ରଘୁ ବାବୁଙ୍କ ଘରକୁ ଗଲେ। ରଘୁ ବାବୁ ତାଙ୍କ ବ୍ୟବସାୟ ତଥା ଅନ୍ୟାନ୍ୟ କାମରେ ବ୍ୟସ୍ତ ଥିଲେ। ରାମ ବାବୁ ଓ ଶ୍ୟାମ ବାବୁଙ୍କୁ ଦେଖି ତାଙ୍କ ମୁହଁ ଟିକିଏ ଶୁଖିଗଲା। ସେ କେବଳ ଉପର ଠାଉରିଆ ଭାବେ ସମ୍ଭାଷଣ ଜଣାଇ ତୁନି ପଡ଼ିଗଲେ।
ରାମ ବାବୁ ବୁଝିପାରିଲେ ଯେ ରଘୁ ବାବୁ ସେମାନଙ୍କ ଠାରୁ ନିସ୍ତାର ଚାହୁଛନ୍ତି। ରାମ ବାବୁଙ୍କ ଆଶା ମରିଗଲା। ଦୁହେଁ ରଘୁବାବୁଙ୍କ ଠାରୁ ବିଦାୟ ନେଇ ନିରବରେ ବାହାରିଗଲେ।

ବାହାରେ ଶ୍ୟାମ ବାବୁ ଆରମ୍ଭ କଲେ- ମୁଁ ଏଇଥି ଲାଗି କାହାର ଉପକାର କରେନା। ଦେଖିଲ ତ ଅବସ୍ଥା। ୟେ ହେଲା ମଣିଷର ଦସ୍ତୁର। ଲୋକଙ୍କ ମନ କେତେ ଛୋଟ ହୋଇଯାଇପାରେ! ରାମ ବାବୁ ବି ତହିଁରେ ହଁ ମାରିଲେ। ଉଭୟେ ରଘୁ ବାବୁଙ୍କ ନିନ୍ଦାରେ ମାତିଲେ।
କିଛି ସମୟ ପରେ ହଠାତ୍‌ ରାମ ବାବୁ ଚୁପ ପଡ଼ିଗଲେ ଓ ତା’ ପରେ ଧୀରେ କହିଲେ- ଭାଇ, ଆମେ ଏବେ କ’ଣ କରୁଚେ? ଆମ ନିଜର ଛୋଟ ମନର ପରିଚୟ ଦେଉନେ କି? ହାୟରେ ମଣିଷ ବିଚାର।

ସମ୍ବନ୍ଧିତ ଖବର