ବନ୍ଧମୁଣ୍ଡା: ଦକ୍ଷିଣ-ପୂର୍ବ ରେଳବାଇ ଜୋନ୍‌ରେ ରେଳସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଉରକେଲା, ବନ୍ଧମୁଣ୍ଡା ସମେତ ସମଗ୍ର ଚକ୍ରଧରପୁର ରେଳମଣ୍ତଳରେ ଅତ୍ୟାଧୁନିକ ‘କବଚ’ ପ୍ରଣାଳୀ ସ୍ଥାପନ କାର୍ଯ୍ୟ ଦ୍ରୁତଗତିରେ ଆରମ୍ଭ ହୋଇଛି। ଏହି ପ୍ରଣାଳୀ ଭାରତୀୟ ରେଳବାଇର ସ୍ୱଦେଶୀ ଓ ଅତ୍ୟାଧୁନିକ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ(ଏଟିପି), ଯାହା ରେଳ ଦୁର୍ଘଟଣା ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳପଥର ଚକ୍ରଧରପୁର ରେଳମଣ୍ଡଳର ବନ୍ଧମୁଣ୍ଡାସ୍ଥ କେ-କ୍ୟାବିନ୍, ଆର୍‌-କ୍ୟାବିନ୍‌, ଏ-କ୍ୟାବିନ୍‌ ଓ ରାଉରକେଲା ଷ୍ଟେସନର ଉଭୟମୁଣ୍ଡରେ କବଚ ପ୍ରଣାଳୀ ଅଧୀନରେ ଯୋଗାଯୋଗ ଟାୱାର ନିର୍ମାଣ କାର୍ଯ୍ୟ ଏବେ ଶେଷପର୍ଯ୍ୟାୟରେ ପହଞ୍ଚିଛି। ଏହି ଟାୱାରଗୁଡ଼ିକରୁ ଜିପିଏସ୍‌ ଆଧାରିତ ରେଡିଓ ନେଟ୍‌ୱର୍କ ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଟ୍ରେନ୍‌କୁ ଉପଯୁକ୍ତ ସମୟରେ ନିର୍ଦେଶ ଦିଆଯାଇପାରିବ ଓ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ବ୍ରେକ୍ ଲଗାଇ ଟ୍ରେନ୍‌କୁ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା କରାଯାଇପାରିବ।

Advertisment

ଦକ୍ଷିଣ-ପୂର୍ବ ରେଳବାଇ ଅଧୀନସ୍ଥ ଚକ୍ରଧରପୁର, ଖଡ଼ଗପୁର, ଆଦ୍ରା ଓ ରାଞ୍ଚି ରେଳମଣ୍ଡକରେ କବଚ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ୩୨୪.୫୪ କୋଟି ଟଙ୍କାର ଖର୍ଚ୍ଚ ଅନୁମୋଦନ କରାଯାଇଛି। ଏହି ଯୋଜନା ଅନୁଯାୟୀ ୨୦୨୮ ସୁଦ୍ଧା ସମଗ୍ର ରେଳବାଇ ଜୋନ୍‌ର ୧୫୬୩ କିମି ରେଳଲାଇନ୍‌ ସମେତ ଜୋନ୍‌ର ମୋଟ ୧୩୬ ରେଳଇଞ୍ଜିନକୁ କବଚ ସହିତ ସଂଯୋଗ କରାଯିବ। ପ୍ରଥମ ପର୍ଯ୍ୟାୟରେ ଚକ୍ରଧରପୁର ରେଳମଣ୍ଡଳର ବ୍ୟସ୍ତବହୁଳ ଓ ପ୍ରମୁଖ ମାର୍ଗଗୁଡ଼ିକୁ କବଚ ସାହାଯ୍ୟରେ ସୁରକ୍ଷିତ କରାଯାଉଛି। ଏହି କାରଣରୁ ସର୍ବାଧିକ ମାଲ ଓ ଯାତ୍ରୀ ପରିବହନ କରୁଥିବା ଚକ୍ରଧରପୁର ରେଳମଣ୍ଡଳରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଦ୍ରୁତଗତିରେ କରାଯାଉଛି।

 କବଚ ପ୍ରଣାଳୀକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଯଦି ଟ୍ରାକ୍‌ରେ କୌଣସି ପ୍ରତିବନ୍ଧକ କିଂବା ଅନ୍ୟ କୌଣସି ଟ୍ରେନ୍‌ ଆସିଯିବ, ତେବେ ସ୍ୱୟଂଚାଳିତ ଭାବରେ ଏହାର ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଦୁଇଟିଯାକ ଟ୍ରେନ୍‌କୁ ଅଟକାଇ ଦିଆଯିବ। ଏହି ପ୍ରଣାଳୀ ରେଡିଓ ଯୋଗାଯୋଗ, ଜିପିଏସ୍‌ ଓ ସିଗନାଲ ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ, ଯାହା ୧୬୦ କିମି ବେଗରେ ଯାଉଥିବା ଟ୍ରେନ୍‌କୁ ଅଟକାଇ ପାରିବ। ଚକ୍ରଧରପୁର ରେଳମଣ୍ଡଳର ବରିଷ୍ଠ ଡିସିଏମ୍‌ ଆଦିତ୍ୟ ଚୌଧୁରୀ କହିଛନ୍ତି ଯେ, ‘ରେଳଯାତ୍ରାକୁ ବୈଷୟିକ ଭାବରେ ଅଧିକ ସୁରକ୍ଷିତ କରିବା ପାଇଁ, ଚକ୍ରଧରପୁର ରେଳମଣ୍ଡଳରେ କବଚ ପ୍ରଣାଳୀ ସ୍ଥାପନ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ବର୍ତ୍ତମାନ ରାଉରକେଲା ଓ ବନ୍ଧମୁଣ୍ଡାରେ ଟାୱାର ସ୍ଥାପନ କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଞ୍ଚିଛି। ବିଶେଷକରି ମଣ୍ଡଳର ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗରେ ଅସନବଣିରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ କବଚ ପ୍ରଣାଳୀ ସ୍ଥାପନ କରାଯାଉଛି।’