କେନ୍ଦ୍ରାପଡ଼ା: ମତଦାନର ତାରିଖ ପାଖେଇବା ସହ ପ୍ରଚାର ମଧ୍ୟ ସରଗରମ ହୋଇଛି। ପ୍ରଚାର ମଇଦାନରେ ରାଜନେତା ସହ ଅଭିନେତାଙ୍କୁ ଦେଖିବାକୁ ମିଳୁଛି। କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେପିରୁ ବୈଜୟନ୍ତ ପଣ୍ଡା ଫାଇଟ୍ କରୁଥିବା ବେଳେ ବିଜେଡି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଛି।
ଏବେ ଏହି ଆସନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଅନୁଭବ ଦଳର ବିଧାୟକ ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପ୍ରଚାର କରୁଥିବା ବେଳେ ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି। ଜନସଭାରେ ଅନୁଭବଙ୍କୁ ଆକ୍ଷେପ କରି ବାବୁସାନ କହିଛନ୍ତି, କେନ୍ଦ୍ରାପଡାର ବିକାଶ ପାଇଁ ରିଲ ହିରୋ ନୁହେଁ ରିଅଲ ହିରୋ ଦରକାର। କେନ୍ଦ୍ରାପଡ଼ାବାସୀଙ୍କ ବିକାଶ ପାଇଁ ଡାଇଲଗ ନୁହେଁ ମାଟିର ମଣିଷ, ରିୟଲ ହିରୋ ଦରକାର।
ବାବୁସାନଙ୍କ ଆକ୍ଷେପର ଉତ୍ତରରେ ଅନୁଭବ କହିଛନ୍ତି, ୬ ବର୍ଷ ହେବ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀଭାବେ କାମ କରୁଛି, ୫ ବର୍ଷ ରାଜ୍ୟସଭା ସାଂସଦ ରହିଛି, ରାଜନୀତି ଶିଖୁଛି। ପ୍ରଚାର ପାଇଁ ତାଙ୍କୁ ଡାକିଥିବା ବ୍ୟକ୍ତି ଯାହା ସ୍କ୍ରିପଟ୍ ଲେଖିଛନ୍ତି, ସେ ସେହି କଥା କହିଛନ୍ତି, ଏହାର ଉତ୍ତର କେନ୍ଦ୍ରାପଡ଼ାବାସୀ ଦେବେ। ରିୟଲ ହିରୋ ହେବା ପାଇଁ ସେ ଲୋକଙ୍କ ପାଇଁ କାମ କରିବେ।