ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ବାହାର ରାଜ୍ୟର କେନ୍ଦ୍ରପତ୍ର ବେପାରୀ ସକ୍ରିୟ ହେଲେଣି। ସ୍ଥାନୀୟ ଅଂଚଳରେ ରହୁଥିବା ଦର୍ଶାଇ ଲାଇସେନସ ଏବଂ ଜିଏସଟି କରୁଥିବା ଅଭିଯୋଗ ହୋଇଛି। ଏଥିସହ ପତ୍ର ତୋଳାଳୀଙ୍କୁ ମନଇଛା ଟଂକା ପ୍ରଦାନ କରି ଠକୁଥିବା ଅଭିଯୋଗ ହୋଇଛି। ଏଣୁ ବାହାର ବେପାରୀଙ୍କୁ ଲାଇସେନସ ନଦେବାକୁ ଦାବି ହୋଇଛି। ଜିଲ୍ଲାରେ ଏବେ ଆନ୍ଧ୍ର,ଛତିଶଗଡ,ତେଲେଙ୍ଗାନା,ବିହାର,ଉତ୍ତରପ୍ରଦେଶର ବେପାରୀମାନେ ସକ୍ରିୟ ହେବା ସହ କିପରି ଏହି ଅଂଚଳରେ ସେମାନେ ଲାଇସେନସ ପାଇବେ ଏବଂ ଜିଏସଟି ମଧ୍ୟ କରିବେ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସ୍ଥାନୀୟ ଅଂଚଳରେ ଦୀର୍ଘ ବର୍ଷ ଧରି ଭଡାରେ ରହୁଥିବା ଦର୍ଶାଇବା ସହ ନକଲି କାଗଜ ପତ୍ର ହାତେଇ ନେଉଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଧରି ଲାଇସେନସ ଏବଂ ଜିଏସଟି ନମ୍ବର ମଧ୍ୟ ହାତେଇ ନେଉଛନ୍ତି।
ପତ୍ର ତୋଳାଳୀଙ୍କୁ ଠକି କମ୍ ଦରରେ କେନ୍ଦୁପତ୍ର ଖରିଦ କରି ବେଶ ଲାଭବାନ ହେଉଥିବା ଦେଖିବାକୁ ମିଳିଛି। ତେବେ ଏନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ,ବନ ବିଭାଗ ଅଧିକାରୀ ଏବଂ ଟ୍ୟାକ୍ସ ଅଧିକାରୀଙ୍କର ପ୍ରମୁଖ ଭୁମିକା ରହିଛି ବୋଲି ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଧାରା ୨୦(୫୦୬) ଅନୁଯାୟୀ କୌଣସି ବାହାର ରାଜ୍ୟର ବେପାରୀ ସ୍ଥାନୀୟ ଅଂଚଳରେ କେନ୍ଦୁପତ୍ର କ୍ରୟ କରିପାରିବେ ନାହିଁ ବୋଲି ସୂଚନା ରହିଛି। ଅନ୍ୟ ଦିଗରେ ସ୍ଥାନୀୟ ବେପାରୀ ଏନେଇ ପ୍ରତିବାଦ କଲେ କୌଣସି ଫରକ ପଡୁନଥିବା କୁହାଯାଇଛି। ବିଭାଗୀୟ ଅଧିକାରୀଙ୍କ ସହ ବାହାର ବେପାରୀ ମିଶି ଆଦିବାସୀଙ୍କୁ ଠକୁଥିବା କୁହାଯାଇଛି। ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କେନ୍ଦୁପତ୍ରର କୌଣସି ଦର ଧାର୍ଯ୍ୟ ହେଉନଥିବାରୁ ବେପାରୀ କେରୀ ପିଛା କେଉଁଠି ୨ଟଂକା ୫୦ ପଇସା ତ ଆଉ କେଉଁଠି ୩ ଟଂକା ଦେଉଛନ୍ତି। କିନ୍ତୁ ଛତିଶଗଡରେ କେନ୍ଦୁପତ୍ର କେରୀ ପିଛା ୫ଟଂକାରୁ ୬ ଟଂକା ରହିଛି। କମ୍ ଦାମରେ ବେପାରୀ ଏଠାରୁ କିଣି ଛତିଶଗଡ ଏବଂ ଆନ୍ଧ୍ରକୁ ଚାଲାଣ କରୁଥିବା ଅଭିଯୋଗ ମଧ୍ୟ କରାଯାଇଛି।
ଅନ୍ୟଦିଗରେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପଞ୍ଚାୟତଗୁଡିକକୁ ଏନେଇ ତଦାରଖ କରୁନଥିବା ,ବନ ବିଭାଗ କେନ୍ଦୁପତ୍ର ଗାଡିର ଯାଞ୍ଚ ନକରି ଉତ୍କୋଚ ନେଇ ରସିଦ ଦେବା ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଆଦିବାସୀଙ୍କ ପାଇଁ କୌଣସି ପଦକ୍ଷେପ ନନେବା ଦୁଃଖର ବିଷୟ ବୋଲି ଆଦିବାସୀ ସଂଘ ଅଭିଯୋଗ କରିଛି। ଆଦିବାସୀ ସଂଘର ଉପଦେଷ୍ଟା ତଥା ବରିଷ୍ଠ ନେତା ଘନଶ୍ୟାମ ମାଡକାମୀ ଚେତାବନୀ ଦେଇଛନ୍ତି ଯେ ଯଦି ବାହାର ବେପାରୀଙ୍କୁ ଲାଇସେନସ ଦିଆଯିବ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ। ପଞ୍ଚାୟତରେ ୪୦ ହଜାର ଟଂକା ପୈଠ କରି ସହଜରେ ଲାଇସେନସ ହାତେଇ ନେଉଥିବା ବେଳେ ଜିଏସଟି ନମ୍ବର ମଧ୍ୟ ସହଜରେ ଆଣିପାରୁଛନ୍ତି। କେନ୍ଦୁଲିଫ ବିଭାଗ ମଧ୍ୟ ପତ୍ର ତୋଳାଳୀ ସେମାନଙ୍କର ପ୍ରାପ୍ୟ ପାଇଲେ କି ନାହିଁ। ବେପାରୀ କେଉଁଠାରୁ ପତ୍ର କ୍ରୟ କରିଛି ଏବଂ କେତେ ଟଂକା ପୈଠ କରିଛି ସେସବୁ ତଦନ୍ତ କରାଯାଉନଥିବା ଅଭିଯୋଗ ହୋଇଛି। ତେଣୁ ବେପାରୀ ଗୋଟିଏ ସ୍ଥାନରୁ କେନ୍ଦୁପତ୍ର ଖରିଦ କରି ଅନ୍ୟ ଏକ ସ୍ଥାନରେ ପତ୍ର ତୋଳାଳୀଙ୍କ ପଡି କାର୍ଡ ରଖି ସେମାନଙ୍କ ଠାରୁ ଖରିଦ କରୁଥିବା ଉଲ୍ଲେଖ କରୁଛି। ଜିଲ୍ଲା ପ୍ରଶାସନ ପତ୍ର ତୋଳାଳୀଙ୍କୁ ଯେପରି ଉଚିତ ପ୍ରାପ୍ୟ ପାଇପାରିବେ ସେନେଇ ଏକ ଦର ଧାର୍ଯ୍ୟ କରନ୍ତୁ ବୋଲି ସଂଘ ଦାବି କରିଛି।