କେନ୍ଦୁଝର: ଶୁକ୍ରବାର ମଧ୍ୟରାତ୍ରୀରେ ଇଭିଏମ୍ ରଖାଯାଇଥିବା ସ୍ଥାନୀୟ ଓଏସ୍ଏମ୍ଇ ସ୍କୁଲ୍ ପରିସରରେ ବୁଲୁଥିବା ଜଣେ ଇଞ୍ଜିନିୟର୍ଙ୍କୁ ବିଜେପିର କର୍ମୀମାନେ ଧରି ପକାଇଥିବା ବେଳେ ଆଉ ୪ ଜଣ ଅପରିଚିତ ବ୍ୟକ୍ତି ଘଟଣାସ୍ଥଳରୁ ଧାଇଁ ପଳାଇଥିବା କୁହାଯାଉଛି। ସେମାନେ ଷ୍ଟ୍ରଙ୍ଗ୍ରୁମ୍ରେ ଥିବା ଇଭିଏମ୍ ଟାମ୍ପରିଙ୍ଗ୍ କରୁଥିବା କଥା ବିଜେପି କର୍ମୀମାନେ ଅଭିଯୋଗ କରିବାରୁ କେନ୍ଦୁଝର ଟାଉନ ପୁଲିସ ଘଟଣାର ତଦନ୍ତ କରୁଛି।
କାଳେ କିଏ ଇଭିଏମ୍ ଟାମ୍ପରିଙ୍ଗ୍ କରିଦେବ- ଏଇ ଆଶଙ୍କାରେ ସେମାନେ କେନ୍ଦୁଝର ସଦର ଓ ତେଲକୋଇ ନିର୍ବାଚନ ମଣ୍ଡଳୀର ଇଭିଏମ୍ ରଖାଯାଇଥିବା ଓଏସ୍ଏମ୍ଇ ସ୍କୁଲ୍ ଉପରେ ବିଜେପି କର୍ମୀମାନେ ଅହର୍ନିଶ ନଜର ରଖିଥିବା କଥା କହିଛନ୍ତି। ଗତ ରାତି ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ କିଛି ଲୋକ ସ୍କୁଲ୍ ପରିସରରେ ଚଲାବୁଲା କରୁଥିବାର ସେମାନେ ଦେଖିଥିଲେ ବୋଲି କହିଛନ୍ତି। ଆଉ କିଛି ଲୋକ ଗୋଟାଏ ବୋଲେରୋ ଗାଡ଼ିରେ ବସିଥିଲେ। ସେହି ଗାଡ଼ି ସାମ୍ନାରେ ବନ ବିଭାଗର ଏକ ଚିଠି ରଖାଯାଇଥିବା ସେମାନେ ଦେଖିଥିବା କଥା କହିଛନ୍ତି।
ସେମାନଙ୍କୁ ଧରିବାକୁ ଉଦ୍ୟମ କରିବା ବେଳେ ଜଣକୁ ଛାଡ଼ି ବାକି ଲୋକ ଦୌଡ଼ି ପଳାଇଥିଲେ। ଧରାପଡ଼ି ଥିବା ବ୍ୟକ୍ତିଜଣକ ହେଉଛନ୍ତି ଆଶାପ୍ରଦୀପ ମହାନ୍ତି। ସେ ଜଣେ ଇଞ୍ଜିନିୟର୍ ଏବଂ କିଛି କାମରେ ସେ ମାଇନିଙ୍ଗ୍ ସ୍କୁଲ୍କୁ ଆସି ସ୍କୁଲ୍ ଆଡ୍ମିନିଷ୍ଟ୍ରେସନ୍ ଅନୁମତିରେ ସେଠାରେ ରହୁଥିବା କଥା କହିଛନ୍ତି। ପୁଲିସ ତାଙ୍କୁ ଥାନାକୁ ନେଇ ପଚରା ଉଚୁରା କରୁଛି ବୋଲି ଏସ୍ଡିପିଓ କହିଛନ୍ତି।
ଷ୍ଟ୍ରଙ୍ଗ୍ରୁମ୍ର ସୁରକ୍ଷା ଦାବି କରି ଏବେ ବିଜେପି ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।