ଭୁବନେଶ୍ବର: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପରେ ୭ଟି ଟନେଲ୍‌ ନିର୍ମାଣ ପୂର୍ବତଟ ରେଳପଥ ପାଇଁ ଆହ୍ୱାନ ସୃଷ୍ଟି କରିଛି। ତା’ସତ୍ତ୍ବେ ମଧ୍ୟ ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଟନେଲ୍‌ଗୁଡ଼ିକ ନିର୍ମାଣରେ ସୃଷ୍ଟି ହୋଇଥିବା କେତେକ ଜଟିଳ ଇଞ୍ଜିନିୟରିଂ ଆହ୍ୱାନକୁ ସାମ୍ନା କରି କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି। ସମୁଦାୟ ୩୦୧ କିମି ଦୈର୍ଘ୍ୟ ଏହି ପ୍ରକଳ୍ପ ଉପାନ୍ତ ଅଞ୍ଚଳରେ ସଂଯୋଗ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯଥାଶୀଘ୍ର କାର୍ଯ୍ୟ ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ନିରନ୍ତର ଭାବେ ସମୀକ୍ଷା କରୁଛି। ଏହି ପ୍ରକଳ୍ପର ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ଥିବା ଦୁର୍ଗମ ତଥା ଜଙ୍ଗଲ ଦେଇ ଗତି କରୁଥିବା ବେଳେ ଏହି ୭୫ କିମି ଦୂରତା ମଧ୍ୟରେ ୭ଟି ଟନେଲ୍(ସମୁଦାୟ ୧୨.୭୬ କିମି)ର ନିର୍ମାଣ ସବୁଠାରୁ ଜଟିଳ ଓ ବୈଷୟିକ ଦୃଷ୍ଟିରୁ ଆବଶ୍ୟକୀୟ ଦିଗ ଭାବେ ଉଭା ହୋଇଛି। ଏହି ଟନେଲଗୁଡ଼ିକ କେବଳ ପର୍ବତ ଦେଇ ଯାଉ ନାହିଁ, ବରଂ ପ୍ରକୃତି ଓ ଭୌଗୋଳିକ ଦ୍ୱାରା ସୃଷ୍ଟି ହୋଇଥିବା ଅସାଧାରଣ ପ୍ରତିବନ୍ଧକକୁ ଦୂର କରୁଛି। ଚଳିତ ମାସ ୨୦ ତାରିଖରେ ୧.୭୯୫ କିମି ଟନେଲ୍(ନମ୍ବର-୭)ର ବ୍ରେକଥ୍ରୁ କରାଯାଇଥିବା ବେଳେ ଏହା ପରଦିନ ଅର୍ଥାତ୍ ଅଗଷ୍ଟ ୨୧ରେ ଟନେଲ୍ ନମ୍ବର-୧ର ବ୍ରେକଥ୍ରୁ ହୋଇଛି।

Advertisment

ଏହି ପ୍ରକଳ୍ପ ମଧ୍ୟରେ ନିର୍ମାଣ ଚାଲିଥିବା ସମସ୍ତ ୭ଟି ଟନେଲ୍‌ ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ରହିଛି, ଯାହାକି ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ। ଆଢେଣିଗଡ଼ ଓ ପୁରୁଣାକଟକ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ୪ଟି ଟନେଲ୍‌ ଥିବା ବେଳେ ସେଥିମଧ୍ୟରୁ ଦୀର୍ଘତମ ଟନେଲ୍‌ ୪.୧୮୫ କିମି ରହିଛି। ସୁରକ୍ଷା ପାଇଁ ୭୦୦ ମିଟର ଏସ୍‌କେପ ଟନେଲ ରହିଛି। ନୟାଗଡ଼ ଜିଲ୍ଲା ମଧ୍ୟରେ ତିନୋଟି ଟନେଲ୍ ମଧ୍ୟରୁ ଦଶପଲ୍ଲା ଓ ବୁଗୁଡ଼ା ମଧ୍ୟରେ ଦୁଇଟି ଅଛି। ଏବେ ସୁଦ୍ଧା ୪ଟି ଟନେଲ ବ୍ରେକଥ୍ରୁ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ବିଭିନ୍ନ ପ୍ରକାର ମାଟିର ଘନତା ଓ ପଥର ଗଠନ ସହ ଏହି ଅଞ୍ଚଳର ଭୌଗୋଳିକ ଜଟିଳତା ଟନେଲ୍‌ର ସ୍ଥିରତା ଏବଂ ନିରାପତ୍ତା ସୁନିଶ୍ଚିତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି। ଏହି ଟନେଲଗୁଡ଼ିକ ଅଭୟାରଣ୍ୟ ସମେତ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟ ଦେଇ ନିର୍ମାଣ ହେଉଛି। ୭ଟି ଟନେଲ ମଧ୍ୟରୁ ପାଞ୍ଚଟି ଟନେଲରେ କର୍ଭ(ବକ୍ର) ନିର୍ମାଣ କରାଯାଉଛି, ଯାହାକି ୨.୫ରୁ ୩ ଡିଗ୍ରି ପର୍ଯ୍ୟନ୍ତ ରହିଛି। ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ଉଭୟ ପ୍ରାନ୍ତରୁ ଏକକାଳୀନ ଟନେଲ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ୩୦୧ କିମି ବିଶିଷ୍ଟ ଏହି ପ୍ରକଳ୍ପ ମଧ୍ୟରୁ ୧୯୯ କିମି କାର୍ଯ୍ୟ ଶେଷ ହୋଇଛି। ସେଥିମଧ୍ୟରୁ ଖୋର୍ଦ୍ଧାରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିମି ଓ ବଲାଙ୍ଗୀରରୁ ବୌଦ୍ଧ ପର୍ଯ୍ୟନ୍ତ ୯୩ କିମି ନିର୍ମାଣ କାର୍ଯ୍ୟ ସରିଛି। ବୌଦ୍ଧରୁ ପୁରୁଣାକଟକ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା‌ ଦିଆଯାଇଛି।