ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ କି ବାତରେ ଝାଡ଼ଖଣ୍ଡର ନକ୍ସଲ ପ୍ରଭାବିତ ଗୁମଲା ଜିଲ୍ଲାକୁ ନେଇ ଏକ କାହାଣୀ କହିଛନ୍ତି | ଏହି ଅଂଚଳର ଜଣେ ଯୁବକ ଯିଏ ନକ୍ସଲବାଦର ରାସ୍ତା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ଓ ରୋଜଗାରର ନୂଆ ଦିଗ ବାଛିଛନ୍ତି ତାହା ମୋଦୀ କହିଥିଲେ | ମୋଦୀ କହିଥିଲେ ଯେ, 'ବେଳେବେଳେ ସବୁଠୁ ବଡ଼ ଆଲୋକ ସେହିଠାରୁ ସୃଷ୍ଟି ହୁଏ, ଯେଉଁଠାରେ ଅନ୍ଧାରର ସବୁଠାରୁ ଅଧିକ ରାଜୁତି ଥାଏ । ଏହିଭଳି ଏକ ଉଦାହରଣ ହେଉଛି, ଝାଡ଼ଖଣ୍ଡର ଗୁମଲା ଜିଲ୍ଲାର ।
ଦିନ ଥିଲା, ଯେତେବେଳେ ଏହି ଅଞ୍ଚଳ ମାଓବାଦୀ ହିଂସା ପାଇଁ ପରିଚିତ ଥିଲା । ବାସିଆ ବ୍ଲକର ଗାଁଗୁଡ଼ିକ ଜନଶୂନ୍ୟ ହୋଇ ଚାଲିଥିଲା । ଲୋକେ ଭୟରେ ଜୀବନ ବିତାଉଥିଲେ । ରୋଜଗାରର କୌଣସି ସମ୍ଭାବନା ଦେଖାଯାଉ ନଥିଲା । ଜମିଗୁଡ଼ିକ ପଡ଼ିଆ ପଡ଼ିଥିଲା ଏବଂ ଯୁବକମାନେ ପଳାୟନ କରୁଥିଲେ । କିନ୍ତୁ, ତାପରେ ପରିବର୍ତ୍ତନର ଏକ ବହୁତ ଶାନ୍ତ ଏବଂ ଧୈର୍ଯ୍ୟରେ ପରିପୂର୍ଣ୍ଣ ଶୁଭାରମ୍ଭ ହେଲା । ଓମପ୍ରକାଶ ସାହୁ ନାମକ ଜଣେ ଯୁବକ ହିଂସାର ମାର୍ଗ ଛାଡ଼ିଦେଲେ । ସେ ମାଛଚାଷ ଆରମ୍ଭ କଲେ । ତା’ପରେ ନିଜ ଭଳି ଅନେକ ସାଥିଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କଲେ । ତାଙ୍କର ଏହି ପ୍ରଚେଷ୍ଟାର ପ୍ରଭାବ ମଧ୍ୟ ପଡ଼ିଲା । ଯେଉଁମାନେ ପୂର୍ବରୁ ବନ୍ଧୁକ ଧରିଥିଲେ, ସେମାନେ ଏବେ ମାଛଧରା ଜାଲ ଧରିଛନ୍ତି ।
ବନ୍ଧୁଗଣ, ଓମପ୍ରକାଶ ସାହୁଙ୍କର ଆରମ୍ଭ ସହଜ ନ ଥିଲା । ଏହାର ବିରୋଧ ହେଲା, ତାଙ୍କୁ ଧମକ ମିଳିଲା, କିନ୍ତୁ ତାଙ୍କର ସାହସ ଭାଙ୍ଗିଲା ନାହିଁ । ଯେତେବେଳେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଆସିଲା, ତାଙ୍କୁ ଏକ ନୂତନ ଶକ୍ତି ମିଳିଲା । ସରକାରଙ୍କଠାରୁ ତାଲିମ ମିଳିଲା, ଜଳାଶୟ ନିର୍ମାଣ ପାଇଁ ସାହାଯ୍ୟ ମିଳିଲା, ଦେଖୁ ଦେଖୁ ଗୁମଲାରେ ମତ୍ସ୍ୟ ବିପ୍ଳବର ସୂତ୍ରପାତ ହୋଇଗଲା । ଆଜି ବାସିଆ ବ୍ଲକର ୧୫୦ରୁ ଅଧିକ ପରିବାର ମାଛଚାଷ ସହ ଯୋଡ଼ି ହୋଇସାରିଛନ୍ତି । ଅନେକେ ତ ଏମିତି ଅଛନ୍ତି, ଯିଏ ଦିନେ ନକ୍ସଲି ସଂଗଠନରେ ଥିଲେ, ଏବେ ସେମାନେ ଗାଁରେ ହିଁ, ସସମ୍ମାନ ଜୀବନଯାପନ କରୁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି । ଗୁମଲାର ଏହି ଯାତ୍ରା ଆମକୁ ଶିକ୍ଷା ଦେଉଛି ଯେ, ଯଦି ରାସ୍ତା ଠିକ୍ ଥାଏ ଏବଂ ମନରେ ବିଶ୍ୱାସ ରହିଥାଏ, ତାହେଲେ ସର୍ବାଧିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିକାଶର ପ୍ରଦୀପ ପ୍ରଜ୍ଜ୍ୱଳିତ ହୋଇପାରେ' ।