ନୂଆଦିଲ୍ଲୀ: ଆପଣଙ୍କର କାହା ପ୍ରତି ଭୟ ରହିଛି କି? ଯଦି ହଁ, ତେବେ ଏହା ଆପଣଙ୍କ ମୃତ୍ୟୁର କାରଣ ହୋଇପାରେ | ପିମ୍ପୁଡିକୁ ନେଇ ଅତ୍ୟଧିକ ଭୟ ଓ ତା'ପରେ ଆତ୍ମହତ୍ୟା | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ ତେଲେଙ୍ଗାନାରେ ପିମ୍ପୁଡ଼ି ପ୍ରତି ପ୍ରବଳ ଭୟ ଥିବା ୨୫ ବର୍ଷୀୟା ବିବାହିତ ମହିଳା ମନୀଷା ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ତେଲେଙ୍ଗାନାର ସର୍ବହୋମ୍ସ ଅଂଚଳରେ ଘଟିଛି, ଯେଉଁଠାରେ ମନୀଷା ତାଙ୍କ ସ୍ୱାମୀ ଶ୍ରୀକାନ୍ତ ଏବଂ ଝିଅ ଅନଭିଙ୍କ ସହିତ ରହୁଥିଲେ।

Advertisment

ମନୀଷା ମାଇର୍ମେକୋଫୋବିଆରେ ପୀଡିତ ଥିଲେ, ଏହା ଏମିତି ଏକ ଗମ୍ଭୀର ମାନସିକ ଅବସ୍ଥା ଯାହା ପିମ୍ପୁଡ଼ି ପ୍ରତି ଅସହ୍ୟ ଭୟକୁ ସୂଚାଇ ଥାଏ | ଏହା କେବଳ ଏକ ସାଧାରଣ ଭୟ ନଥିଲା, ବରଂ ଏକ ରୋଗ ଯାହା ତାଙ୍କ ଜୀବନକୁ ଏକ ଜୀବନ୍ତ ନର୍କରେ ପରିଣତ କରିଥିଲା। ତାଙ୍କ ପରିବାର ଏହି ମାନସିକ ଅବସ୍ଥା ପାଇଁ ଚିକିତ୍ସା ଏବଂ ପରାମର୍ଶ ଲୋଡ଼ିଥିଲେ, କିନ୍ତୁ ଭୟ ତାଙ୍କ ଉପରେ ଏତେ ଗଭୀର ଭାବରେ କବଜା କରିଥିଲା ​​ଯେ ଶେଷରେ ସେ ନିଜ ଜୀବନ ହାରିଦେଇଥିଲେ | 

ଆତ୍ମହତ୍ୟା ନୋଟରେ କଣ ଲେଖିଥିଲେ ମନୀଷା 
ତେଲେଙ୍ଗାନା ପୋଲିସ କୋଠରୀରେ ମନୀଷାଙ୍କ ଆତ୍ମହତ୍ୟା ନୋଟ୍ ପାଇଲା, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କୁ ସମ୍ବୋଧିତ କରି ଲେଖିଥିଲେ, ଯେ "ମୋତେ କ୍ଷମା କରିଦେବ, ମୁଁ ଏହି ପିମ୍ପୁଡ଼ିମାନଙ୍କ ସହିତ ରହିପାରିବି ନାହିଁ।" 

ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼. ସ୍ଵାତି ମିଶ୍ର କଣ କୁହନ୍ତି?
ଏମକେସିଜିର ମାନସିକ ସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଥିବା ଡ଼. ସ୍ଵାତି କହିଛନ୍ତି ଯେ ଫୋବିଆ ଅର୍ଥ ହେଉଛି ଭୟ | କିଛି ଲୋକଙ୍କର କୌଣସି ପଶୁ ହୁଅନ୍ତୁ କି ପିମ୍ପୁଡି ବା ସାପ ହୁଅନ୍ତୁ ଅତ୍ୟଧିକ ଭୟ ରହିଥାଏ | ଆଖିରେ ନ ଦେଖିଥିଲେ ବି ସେମାନଙ୍କ ମନରେ ଭ୍ରମ ସୃଷ୍ଟି ହେଉଥିବ ଆଉ ଏହି ଭ୍ରମ ଅତ୍ୟଧିକ ଭୟର ରୂପ ନେଉଥିବ | ଏହି ମହିଳାଙ୍କ କଥା କହିବାକୁ ଗଲେ ତାଙ୍କର persistent delusional disorder ରହିଥିବ | ଏହାର ଅର୍ଥ ହେଉଛି ଯେ କୌଣସି ନିର୍ଦ୍ଦିଷ୍ଟ ଜିନିଷ ପ୍ରତି ଭୟ ସବୁବେଳେ ମନରେ ଘୁରିବୁଲୁଥିବ | ଏହାକୁ Delusional parasitosis ବି କହିହେବ | ତାଙ୍କୁ କେବଳ ଅନୁଭବ ହେଉଥିବ ଯେ ମୋ ଦେହରେ କିଛି ପୋକ ଚାଲୁଛନ୍ତି, ଏହି ମହିଳାଙ୍କ ସମସ୍ୟା ସାଇକୋସିସ ଆଡକୁ ଚାଲିଯାଇଥିବ | ବହୁତ ଦିନ ଧରି Anxiety ରହିଲେ ଏହା ସାଇକୋସିସ ଆଡକୁ ଗତି କରେ | ଏହାଦ୍ୱାରା ତାଙ୍କ ଭ୍ରମ ତାଙ୍କ ମନ ଭିତରେ ବସା ବାନ୍ଧି ରହିଯାଇଥିଲା | ଏହାର ଚିକିତ୍ସା ଭାବେ ଇସିଟି(ଇଲେକ୍ଟ୍ରୋ କନଭଲସିଭ ଥେରାପି) କରାଯାଏ | ଔଷଧ ସହ କିଛି ଥେରାପି କରାଯାଏ | ଜଣେ ଆତ୍ମହତ୍ୟା ସେତେବେଳେ କରେ ଯେତେବେଳେ ଏହା ସାଇକୋସିସ ବା ଦୃଢ ଭ୍ରମକୁ ଚାଲିଯାଏ |