ନୂଆଦିଲ୍ଲୀ: ଆଇପିଏଲର ୧୮ତମ ସିଜିନ୍ ୨୦୨୫ରେ ଖେଳାଯାଇଥିଲା, ଯେଉଁଥିରେ ପ୍ରଥମ ଥର ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତିଥିଲା। ଆରସିବି ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା, ଯାହାକୁ ଆରସିବି ୬ ରନରେ ଜିତିଥିଲା। ଯଦିଓ ମ୍ୟାଚ୍ ଅହମ୍ମଦାବାଦରେ ଥିଲା, ଆରସିବି ଫାଇନାଲ୍ ପରଦିନ ବାଙ୍ଗାଲୋରରେ ଟ୍ରଫି ଜିତିବା ଉତ୍ସବ ପାଳନ କରିବାକୁ ଚିନ୍ତା କରିଥିଲା। କିନ୍ତୁ ଏହି ଉତ୍ସବ ଶୋକରେ ପରିଣତ ହୋଇଥିଲା ଏବଂ ଅନେକ ଆରସିବି ପ୍ରଶଂସକ ସେମାନଙ୍କ ଜୀବନ ହରାଇଥିଲେ । ତେବେ ଦୁର୍ଘଟଣାର ତିନି ମାସ ପରେ, ବିରାଟ କୋହଲିଙ୍କର ଏବେ ଏହି କଥା ମନେପଡିଛି |

Advertisment

ଏହାକୁ ନେଇ ବିରାଟ କୋହଲି କହିଛନ୍ତି, "ଜୀବନରେ କିଛି କଥା  ଆପଣଙ୍କୁ ଜୁନ୍ ୪ ଭଳି ହୃଦୟ ବିଦାରକ ଘଟଣା ପାଇଁ ପ୍ରସ୍ତୁତ କରେ ନାହିଁ, ଯାହା ଆମ ଫ୍ରାଞ୍ଚାଇଜିର ଇତିହାସରେ ସବୁଠାରୁ ଖୁସିର ମୁହୂର୍ତ୍ତ ହେବାର ଥିଲା। ଏହା ଏକ ଦୁଃଖଦ ମୁହୂର୍ତ୍ତରେ ପରିଣତ ହୋଇଥିଲା | ମୁଁ ସେହି ଲୋକଙ୍କ ପରିବାର ପାଇଁ ଭାବୁଛି ଏବଂ ପ୍ରାର୍ଥନା କରୁଛି। ଆମର ପ୍ରଶଂସକମାନେ ଆହତ ହୋଇଥିଲେ । ଆପଣଙ୍କ କ୍ଷତି ଏବେ ଆମର କାହାଣୀର ଏକ ଅଂଶ।

 ଏକାଠି ଆମେ ଯତ୍ନ, ସମ୍ମାନ ଏବଂ ଦାୟିତ୍ୱ ସହିତ ଆଗକୁ ବଢ଼ିବୁ।" ଉଲ୍ଲେଖ ଥାଉ କି ଏହି ଘଟଣାରେ ୧୧ ଜଣ ପ୍ରାଣ ହରାଇଥିଲେ । ସୂଚନା ଥାଉ କି ଯେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆଶାଠାରୁ ଅଧିକ ଭିଡ଼ ଜମା ହୋଇଥିଲା। ଏହା ପରେ ଦଳାଚକଟା ହୋଇଥିଲା, ଯେଉଁଥିରେ ୧୧ ଜଣ ଆରସିବି ପ୍ରଶଂସକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ, ବିରାଟ କୋହଲି ଘଟଣାର ୩ ମାସ ପରେ ଏହି ଦୁର୍ଘଟଣାକୁ ମନେ ପକାଇଛନ୍ତି। ଏହି ଘଟଣାକୁ ନେଇ ଆରସିବି ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି।