ସିଡ୍ନି: ସିଡ୍ନିରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ କ୍ରମାଗତ ତୃତୀୟ ଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍(ଡବ୍ଲୁଟିସି) ଫାଇନାଲରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଯାଇଛି ।
ସିଡ୍ନି ଟେଷ୍ଟରେ ଜସପ୍ରୀତ୍ ବୁମରା ଏବଂ ରୋହିତ ଶର୍ମା ଅନୁପସ୍ଥିତି ଥିବାରୁ ବିରାଟ କୋହଲି ଅଧିନାୟକତ୍ୱ ଗ୍ରହଣ କରିଥିଲେ । ପ୍ରତ୍ୟେକ ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିଲା କିଙ୍ଗ କୋହଲି ସିଡ୍ନି ଟେଷ୍ଟରେ ଷ୍ଟିଭ ସ୍ମିଥ ଆଉଟ୍ ହେବାପରେ ଏପରି କିଛି ଅଙ୍ଗଭଙ୍ଗୀ କରିଥିଲେ ଯାହା ଅଷ୍ଟ୍ରେଲିଆ ପ୍ରଶଂସକଙ୍କୁ ନିରାଶ କରିଥିଲା ।
ତେବେ ପ୍ରସିଦ୍ଧ କ୍ରିଷ୍ଣଙ୍କ ବଲରେ ଖେଳିବାକୁ ଯାଉଥିବାବେଳେ ଷ୍ଟିଭ ସ୍ମିଥ ଆଉଟ୍ ହୋଇଥିଲେ । ଏହାପରେ ବିରାଟ କୋହଲି ତାଙ୍କ ଟ୍ରାଉଜର ପ୍ୟାଂଟର ପକେଟକୁ ବାହାରକୁ ବାହାର କରି ଦେଖାଉଥିଲେ । ଯେମିତି କହୁଛନ୍ତି କି ତାଙ୍କ ପକେଟରେ ବଲ ରଖିବାକୁ କୌଣସି ବି ସ୍ଥାନନାହିଁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଗରୁ ମଧ୍ୟ ହେଡଙ୍କ ସହ ସିରାଜଙ୍କ ବିବାଦ ପରେ ଅଷ୍ଟ୍ରେଲିଆ ଫ୍ୟାନ୍ସମାନେ ଲଗାତାର ଭାବେ ସିରାଜଙ୍କୁ ଚିଡ଼ାଉଥିବା ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ବାଉଣ୍ଡରୀ ଲାଇନରେ ଫିଲ୍ଡିଂ କରିବା ଅସୁବିଧା ଉପୁଜିଥିଲା ।