କୋହଲିଙ୍କ ଚିନ୍ତା ବଢ଼ୁଛି : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍‌ରେ ୧୦ କ୍ୟାଚ୍‌ ହାତଛଡ଼ା

ନୂଆଦିଲ୍ଲୀ: ତିରୁଅନନ୍ତପୁରମରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ଭାରତର ଶୋଚନୀୟ ପରାଜୟ ଏବେ ବିରାଟ କୋହଲିଙ୍କ ଚିନ୍ତାର କାରଣ ହୋଇଛି। ବିଶେଷ କରି ଦଳର ଦୁର୍ବଳ କ୍ଷେତ୍ରରକ୍ଷଣ ପାଇଁ ଭାରତ ଅସୁବିଧାରେ ପଡୁଛି ବୋଲି ଭାରତୀୟ ଶିବିର ଅନଶୀଳନ କରି ସାରିଛି। ଆସନ୍ତା ବର୍ଷର ଟି-୨୦ ବିଶ୍ବକପ୍‌ ପୂର୍ବରୁ ଏହି ସମସ୍ୟାର ସମାଧାନ କରିବାକୁ ମଧ୍ୟ ଦଳ ଗୁରୁତ୍ବ ଦେବ ବୋଲି ଯୋଜନା କରୁଛି।

‌ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚଳିତ ଟି-୨୦ ଶୃ୍ଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତ ୧୦ କ୍ୟାଚ୍‌ ହାତଛଡ଼ା କରିଛି। ହାଇଦ୍ରାବାଦରେ ୫ କ୍ୟାଚ୍‌ ହାତଛଡ଼ା କରିଥିଲେ ମଧ୍ୟ ବିରାଟ କୋହଲିଙ୍କ ବିସ୍ଫୋରକ ୯୪* ରନ୍ ବଳରେ ଭାରତ ବିଜୟୀ‌ ହୋଇଥିଲା। ରବିବାର ରାତିରେ କିନ୍ତୁ ତିରୁଅନନ୍ତପୁରମରେ ହାତଛଡ଼ା କରିଥିବା ୩ କ୍ୟାଚ୍‌ ଘରୋଇ ଦଳକୁ ପରାଜୟ ମୁହଁକୁ ଠେଲିଦେଇଥିଲା। ଇଣ୍ଡିଜ୍ ବିପକ୍ଷ ବିଜୟ ଧାରା ମଧ୍ୟ ଶେଷ ହୋଇଯାଇଥିଲା। ହାଇଦ୍ରାବାଦ ମ୍ୟାଚ୍‌ ଜିତିଥିଲେ ମଧ୍ୟ କ୍ଷେତ୍ରରକ୍ଷଣ ଦୁର୍ବଳତାକୁ ପୂର୍ବତନ ଅଲରାଉଣ୍ଡର୍‌ ଯୁବରାଜ ସିଂହ ତୀବ୍ର ସମାଲୋଚନା କରିଥିଲେ। ହାଇଦ୍ରାବାଦରେ ଖରାପ ଫ୍ଲଡଲାଇଟ୍‌ ପାଇଁ କ୍ୟାଚ୍‌ ଖସିଥିବା କଥା କିଛି ଖେଳାଳି ମଧ୍ୟ ମତ ଦେଇଥିଲେ। କିନ୍ତୁ ତିରୁଅନନ୍ତପୁରମରେ ଭୁବନେଶ୍ବର କୁମାରଙ୍କ ଗୋଟିଏ ଓଭରରେ ୨ କ୍ୟାଚ୍‌ ଖସିଯିବା ଲାଗି କ୍ଷମା କରାଯାଇ ପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି। ‘ଦେଖନ୍ତୁ, ଆପଣ ଯଦି ଏଭଳି କ୍ଷେତ୍ରରକ୍ଷଣ କରିବେ ତେବେ ଯେତେ ବଡ଼ ସ୍କୋର୍‌ ବି ଯଥେଷ୍ଟ ହେବ ନାହିଁ। ବିଗତ ଦୁଇ ମ୍ୟାଚ୍‌ରେ ଆମେ ନିଜଠାରୁ ନିମ୍ନ ପ୍ରଦର୍ଶନ କରିଛୁ’ ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି। ଅଧିନାୟକଙ୍କ ଏଭଳି ସ୍ବୀକାରୋକ୍ତି ଦଳକୁ ସୁଧାରିବ‌ ବୋଲି ବିଶ୍ବାସ ଆସିଛି। ‘ପ୍ରଥମ ୪ ଓଭରରେ ଆମେ ଚାପ ପକାଇଥିଲୁ, କିନ୍ତୁ ଗୋଟିଏ ଓଭରରେ ୨ କ୍ୟାଚ୍‌ ଖସିଯିବା ପରେ ଏଥି ପାଇଁ ମୂଲ୍ୟ ଦେବାକୁ ପଡ଼ିଛି। ସେହି ଦୁଇ ୱିକେଟ୍ ହରାଇଥିଲେ ଚାପ ସେମାନଙ୍କ ଉପରକୁ ଯାଇଥାନ୍ତା’ ବୋଲି କୋହଲି ପ୍ରକାଶ କରିଥିଲେ। ଟି-୨୦ ନିଶ୍ଚିତ ବ୍ୟବଧାନର ଖେଳ, ଭୁଲ କେଉଁଠି ରହିଲା ବୁଝିବାକୁ ହେବ, ଏହା ପ୍ରମାଣସିଦ୍ଧ। ଏହା ସମସ୍ତେ ଦେଖିଛନ୍ତି, ଆମକୁ ଉନ୍ନତି କରିବାକୁ‌ ହେବ। ଏହାକୁ ନେଇ ଚିନ୍ତିତ ହେବା ଅପେକ୍ଷା ସାହସିକତାର ସହ ମୁକାବିଲା କରିବାର ଅଛି ‌ବୋଲି ରବିବାର ରାତିରେ ନିଜେ ଚମତ୍କାର ଭାବେ ଗୋଟିଏ ଏକହାତିଆ କ୍ୟାଚ୍‌ ନେଇଥିବା କୋହଲି ପ୍ରକାଶ କରିଥିଲେ। ବ୍ୟାଟିଂ ସମ୍ପର୍କରେ କୋହଲି କହିଥିଲେ ଶେଷ ୪ ଓଭରରୁ ଆମକୁ ୩୦ ନୁହେଁ ୪୦/୪୫ ରନ୍ କରିବାର ଥିଲା।

ରବିବାର ରାତିରେ ପଞ୍ଚମ ଓଭର ବୋଲିଂ କରିଥିବା ଭୁବନେଶ୍ବର କୁମାରଙ୍କୁ ନିରାଶ ହେବାକୁ ପଡ଼ିଥିଲା। ମିଡ୍‌ ଅଫ୍‌ରେ ୱାସିଂଟନ୍ ସୁନ୍ଦର ଏକ ସିଧାସଳଖ କ୍ୟାଚ୍‌ ଛାଡ଼ିବାରୁ ୬ ରନ୍‌ରେ ଥିବା ଲେଣ୍ଡଲ୍ ସିମନ୍ସ ୪୫ ବଲ୍‌ରୁ ୬୭* ରନ୍ କରି ମ୍ୟାଚ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲେ। ଦୁଇଟି ବଲ୍‌ ପରେ ଏଭିନ୍ ଲୁଇସ୍‌ଙ୍କ ବ୍ୟାଟ୍‌ରୁ ଆସିଥିବା ଏକ କଷ୍ଟକର କ୍ୟାଚ୍‌କୁ ୱିକେଟରକ୍ଷକ ଋଷବ ପନ୍ତ୍‌ ଛାଡ଼ିଥିଲେ। ଫଳରେ ସୃଷ୍ଟି‌ ହୋଇଥିବା ବୋଲିଂ ଚାପ ଉଭେଇଯାଇଥିଲା। ୧୭ତମ ଓଭରରେ ନିକୋଲାସ ପୂରନଙ୍କ କ୍ୟାଚ୍‌ ମଧ୍ୟ ଶ୍ରେୟସ ଆୟର ଛାଡ଼ି ଦେଇଥିଲେ। କୋହଲି କିନ୍ତୁ ନିଜେ ମ୍ୟାଚ୍‌ର ସବୁଠୁ କଷ୍ଟକର କ୍ୟାଚ୍‌ ନେଇଥିଲେ ସୀମା ପାର୍ଶ୍ବରେ। ସିମରନ୍‌ ହେଟମେୟରଙ୍କ ଜବରଦସ୍ତ ହିଟ୍‌ ପରେ ସେ ଦୂରରୁ ଦୌଡ଼ି ଆସି ଏକହାତିଆ କ୍ୟାଚ୍ ନେଇଥିଲେ।

ସମ୍ବନ୍ଧିତ ଖବର