କୋଲକାତା: କୋଲକାତାରେ  ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ  ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇ ହାତରେ ଏବେ ମାମଲା ସଂକ୍ରାନ୍ତ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ଜଣାପଡ଼ିଛି।  ଇତିମଧ୍ୟରେ ମୁଖ୍ୟ ଅଭିଯୁକ୍ତ  ସମେତ ଅନ୍ୟ ୬ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଇଛି।   ସିବିଆଇ ହାତରେ ଏବେ ମୋଟ୍‌ ୫୩ଟି ପ୍ରମାଣ ରହିଥିବା ବେଳେ ଅପରାଧ ସାବ୍ୟସ୍ତ କରିବା ପାଇଁ ୯ଟି ବଳିଷ୍ଠ ପ୍ରମାଣ ମଧ୍ୟ ରହିଛି ।  ଏହି ସବୁ ପ୍ରମାଣ ଭିତରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଘଟଣା ଦିନ ପିନ୍ଧିଥିବା ପୋଷାକ, ଅନ୍ତଃବସ୍ତ୍ର  ଏବଂ ଜୋତା ଆଦି  ସାମଗ୍ରୀ ରହିଛି। ଏହା ବ୍ୟତୀତ ଫୋନ୍ ଟାୱାରର ଲୋକେସନ୍ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ସୂଚନା ଅନୁଯାୟୀ, ଅଗଷ୍ଟ ୯ ତାରିଖରେ ଘଟଣା ସମୟରେ ସଞ୍ଜୟ ରାୟ ଆର୍‌ଜି କର ହସ୍ପିଟାଲର ସେମିନାର ହଲରେ ଉପସ୍ଥିତ ଥିବା ନେଇ ଅନେକ ପ୍ରମାଣ ଉପଲବ୍ଧ ହୋଇଛି। ସଞ୍ଜୟ ରାୟର ବାଇକ୍ ଓ ହେଲମେଟ୍‌କୁ  ମଧ୍ୟ ପ୍ରମାଣ ଭାବେ ରଖାଯାଇଛି। ସିବିଆଇ ସୂତ୍ରରୁ ରବିବାର କୁହାଯାଇଛି ଯେ ଏକ ସପ୍ତାହ ମଧ୍ୟରେ ଫରେନସିକ୍ ରିପୋର୍ଟ ଆସିବ। ଏହି ରିପୋର୍ଟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ଅଗଷ୍ଟ ୯ ତାରିଖରେ ରାଜ୍ୟ ଫରେନ୍‌ସିକ୍ ସାଇନ୍ସ ଲାବୋରେଟୋରି ରାତି ସାଢ଼େ ୮ଟାରୁ ରାତି ୧୦ଟା ୪୫ ମଧ୍ୟରେ ଘଟଣାସ୍ଥଳରୁ ମୋଟ ୪୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲା। ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା।

Advertisment

 ସଞ୍ଜୟ ରାୟର ମୋବାଇଲରୁ ବାହାର କରାଯାଇଥିବା ତଥ୍ୟକୁ ମଧ୍ୟ ଡିଜିଟାଲ ପ୍ରମାଣ ଭାବେ ସାମିଲ କରାଯାଇଛି। ହସ୍ପିଟାଲରେ ଲାଗିଥିବା ୮ ନମ୍ବର ଓ ୧୬ ନମ୍ବର ଦୁଇଟି ସିସିଟିଭି ଫୁଟେଜରେ ସଞ୍ଜୟ ରାୟ ହସ୍ପିଟାଲ ପରିସରରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏହାକୁ  ମଧ୍ୟ ଅନ୍ୟତମ ବଳିଷ୍ଠ ପ୍ରମାଣ ଭାବେ ଉପସ୍ଥାପିତ କରାଯିବ। ଏହାବ୍ୟତୀତ ଅନ୍ୟୁ ସବୁ ପ୍ରମାଣ ସାଇଣ୍ଟିଫିକ୍ ୱିଙ୍ଗ୍‌ ଓ  ଗୁଇନ୍ଦା ବିଭାଗର ଫିଙ୍ଗରପ୍ରିଣ୍ଟ ଏବଂ ପାଦଚିହ୍ନ ବିଶେଷଜ୍ଞଙ୍କ ଦ୍ୱାରା ସଂଗ୍ରହ କରାଯାଇଛି।