କୋଲକତାରେ ୫୭ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଭାରତରେ ମୋଟ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଲା

ନୂଆଦିଲ୍ଲୀ : ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି । କୋଲକତାରେ ଜଣେ ୫୭ ବର୍ଷୀୟ ବ୍ୟକ୍ତି କରୋନା ଭାଇରସ ସଂକ୍ରମଣ ଥାଇ ମୃତ୍ୟୁବରଣ କରିଛନ୍ତି । ଏହା ହେଉଛି ପଶ୍ଚିମବଙ୍ଗରେ ପ୍ରଥମ କରୋନା ଜନିତ ମୃତ୍ୟୁ  ।
ମୃତ ବ୍ୟକ୍ତି ପଶ୍ଚିମବଙ୍ଗର ଉତ୍ତର-୨୪ ଫଗଣା ଜିଲ୍ଲା ଦମଦମର ଅଧିବାସୀ ବୋଲି ଜଣାପଡ଼ିଛି । କୋଲକତାର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ କ୍ୱାରାଣ୍ଟାଇନ କରି ରଖାଯାଇଛି । ପଶ୍ଚିମବଙ୍ଗରେ ସୋମବାର ଅପରାହ୍ଣ ସୁଦ୍ଧା ୬ ଜଣ ଲୋକ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହାଛଡ଼ା ଅନ୍ୟ ୫୨ ଜଣଙ୍କୁ ଏକାନ୍ତବାସରେ ରଖାଯାଇଛି । ସଂପୃକ୍ତ ବ୍ୟକ୍ତି ଟ୍ରେନ ଯୋଗେ ଉତ୍ତରପ୍ରଦେଶର ବିଳାସପୁରରୁ କୋଲକତା ଫେରିଥିଲେ । ଆଜିଠାରୁ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ଜରୁରୀକାଳୀନ ସେବା ଯୋଗାଣ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଛି । ଏହା ମଧ୍ୟରୁ ୪୦୨ଟି ସକ୍ରିୟ ମାମଲା ହୋଇଥିବାବେଳେ ୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ଓ ମୃତ୍ୟୁସଂଖ୍ୟା ୭ ରହିଛି । ଏହି ୪୩୩ ମଧ୍ୟରୁ ୩୯୩ ଜଣ ଭାରତୀୟ ହୋଇଥିବାବେଳେ ୪୦ ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର