କୋଲକାତା:  କୋଲକାତା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ ଏବଂ ଅନ୍ୟ ୬ ଜଣଙ୍କର ପଲିଗ୍ରାଫ୍‌ ଟେଷ୍ଟ୍‌ ଆରମ୍ଭ ହୋଇଛି। ଜେଲ୍‌ରେ ସଂଜୟ ରାୟର ପଲିଗ୍ରାଫ୍‌ ଟେଷ୍ଟ୍‌ କରାଯାଇଥିବା ବେଳେ ପୂର୍ବତନ ପ୍ରିନ୍ସପାଲ୍‌ ସନ୍ଦୀପ ଘୋଷ ଓ  ୪ ଡାକ୍ତରଙ୍କ ସମେତ ମୋଟ୍‌ ୬ ଜଣଙ୍କର କୋଲକାତା ସ୍ଥିତ ସିବିଆଇ ଅଫିସରେ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଛି। ଘୋଷ ଆଜି ସକାଳେ ସଲ୍ଟ ଲେକ୍‌ ସ୍ଥିତ ସିଜିଓ କମ୍ପ୍ଲେକ୍ସରେ ଥିବା‌ ସିବିଆଇ ଅଫିସରେ ଲଗାତାର ନବମ ଦିନରେ ଜେରା ପାଇଁ ହାଜର ହେବା ସମୟରେ ତାଙ୍କୁ ପଲିଗ୍ରାଫ୍‌ ଟେଷ୍ଟ୍‌ ପାଇଁ ନିଆଯାଇଥିଲା। ୨ ଜଣ ପ୍ରଥମ ବର୍ଷର ପୋଷ୍ଟଗ୍ରାଜୁଏଟ୍‌ ଟ୍ରେନିଙ୍କର ମଧ୍ୟ ପଲିଗ୍ରାଫ୍‌ ଟେଷ୍ଟ୍‌ କରାଯାଇଛି।  କାରଣ ତଦନ୍ତକାରୀ ଦଳ ସେମିନାର ହଲ୍‌ରେ ସେମାନଙ୍କ ଅଙ୍ଗୁଳି ଚିହ୍ନ ପାଇଥିଲେ।  ଏହି ଟେଷ୍ଟ୍‌ ପାଇଁ ଦିଲ୍ଲୀ ସିଏଫଏସ୍‌ଏଲ (ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲାବ୍ରୋଟୋରି) ର ଏକ ପଲିଗ୍ରାଫ୍‌ ବିଶେଷଜ୍ଞ ଟିମ୍‌ କଲିକତାରେ ପହଞ୍ଚିଛନ୍ତି। 

Advertisment

ଅନ୍ୟପକ୍ଷେ ସଂଜୟ ରାୟ ପଲିଗ୍ରାଫ୍‌ ଟେଷ୍ଟ୍‌ ପାଇଁ ନିଜ ଆଡ଼ୁ ରାଜି ହୋଇଥିଲା। କୋର୍ଟ ତାକୁ ଏହାର କାରଣ ପଚାରିବାରୁ ସେ କାନ୍ଦି ପକାଇଥିଲା ଏବଂ କହିଥିଲା ମୁଁ କୌଣସି ପ୍ରକାର ଅପରାଧ କରିନି, ମୋତେ ଫସାଇ ଦିଆଯାଇଛି। ଏହି ପରୀକ୍ଷା ହୁଏତ ତାହା ପ୍ରମାଣ କରି‌ ଦେଇପାରେ।  କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବରୁ ରାୟ ନିଜ ଦୋଷ ସ୍ବୀକାର କରିଥିଲା। ମାମଲାର ତଦନ୍ତ ପାଇଁ ଗଠନ ହୋଇଥିବା ଏସ୍‌ଆଇଟି ଏବଂ ପରେ ସିବିଆଇ ମଧ୍ୟ ଦାବି କରିଥିଲା ଯେ ରାୟ ଏହି ଅପରାଧ କରିଥିବା ସ୍ବୀକାର କରିଛି।

ତଦନ୍ତରେ ସହଯୋଗ କରୁଛନ୍ତି ୧୮ ଡାକ୍ତର ଓ ନର୍ସ

କୋଲକାତା: କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ହେବା ପରଦିନ ଠାରୁ ୧୮ ଜଣ ଡାକ୍ତର ଏବଂ ନର୍ସ‌୍ ନିଖୋଜ ଅଛନ୍ତି ବୋଲି ସୋ‌ସିଆଲ ମିଡିଆରେ ପୋଷ୍ଟ୍‌ ହେବା ସହ ସେମାନଙ୍କୁ ବହୁତ ଅପମାନିତ ମଧ୍ୟ କରାଯାଇଛି। କିନ୍ତୁ ବାସ୍ତବ କଥା ହେଉଛି ସେମାନେ ନିଖୋଜ ହୋଇନାହାନ୍ତି। ସେମାନେ ତଦନ୍ତ ପ୍ରକ୍ରିୟାରେ ଉଭୟ କୋଲକାତା ପୁଲିସ ଏବଂ ସିବିଆଇକୁ ସହଯୋଗ କରୁଛନ୍ତି। ଉକ୍ତ ୧୮ ଜଣ ଡାକ୍ତର ଏବଂ ନର୍ସ‌୍ ଅନେକ ଥର ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହୋଇଛନ୍ତି ଏବଂ ‌ସେମାନଙ୍କର ବିବୃତି ରେକର୍ଡ କରାଯାଇଛି।  ଏମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ପୀଡ଼ିତା ଡାକ୍ତରଙ୍କ ସହକର୍ମୀ। ସେମାନେ ସେଦିନ ରାତିରେ ଡାକ୍ତରଙ୍କ ସହ ଡ୍ୟୁଟିରେ ଥିଲେ।  ସମସ୍ତେ ତଦନ୍ତପ୍ରକ୍ରିୟାରେ ସହଯୋଗ କରୁଛନ୍ତି।  ଏହି ୪ ଜଣ ଡାକ୍ତର ଶେଷ ଥର ପାଇଁ ପୀଡ଼ିତାଙ୍କୁ ଜୀବିତ ଦେଖିଥିଲେ। ଜଣେ ପ୍ରଥମ ବର୍ଷର ପିଜିଟି ଡାକ୍ତର ପ୍ରଥମେ ପୀଡ଼ିତାଙ୍କ ମୃତଦେହ ଦେଖିଥିଲେ। ତଦନ୍ତ ପ୍ରକ୍ରିୟାରେ ସେମାନଙ୍କ ଭୂମିକା‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।