ନୂଆଦିଲ୍ଲୀ: ଦେଶର ସାମୁଦ୍ରିକ ଇତିହାସରେ ଲାଇଟ୍‌ ହାଉସ୍‌ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା | ଜାହାଜକୁ ସଠିକ ଦିଗ ଦେଖାଇବା ପାଇଁ ଏହାର ବ୍ୟବହାର କାହିଁ କେଉଁ କାଳରୁ ଚାଲିଆସୁଛି | ସମୁଦ୍ର କୂଳରେ ଜାହାଜଗୁଡିକୁ ମାର୍ଗଦର୍ଶନ କରିବା ପାଇଁ ଲାଇଟହାଉସ୍ ନିର୍ମାଣ କରାଯାଉଥିଲା | ରାତିରେ ଏଥିରେ ଆଲୁଅ ଜଳୁଥିବାରୁ ଜାହାଜର କ୍ୟାପଟେନ ଏହାକୁ ଦେଖି ସଠିକ ମାର୍ଗ ନିର୍ଦ୍ଧାରଣ କରିପାରୁଥିଲେ | ତେବେ ବର୍ତ୍ତମାନ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ଜିପିଆରଏସ ଆସିବା ପରେ ଏହାର ବ୍ୟବହାର ଯଥେଷ୍ଟ ହ୍ରାସ ପାଇଛି |

Advertisment

ଏଭଳି ସ୍ଥିତିରେ ଏବେ ଲାଇଟ ହାଉସଗୁଡିକୁ ଆଧୁନିକୀକରଣ କରାଯାଇ ପର୍ଯ୍ୟଟନ ପାଇଁ ବ୍ୟବହାର କରାଯାଉଛି | ବାସ୍ତବରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପୁରୀରେ ଆୟୋଜିତ ହେଉଥିବା ଦ୍ୱିତୀୟ ଜାତୀୟ ଲାଇଟ୍ ହାଉସ୍ ମହୋତ୍ସବରେ କହିଛନ୍ତି ଯେ ଗୁଜରାଟ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଶର ୭ ହଜାର ୫୦୦ କିଲୋମିଟର ଲମ୍ବା ଉପକୂଳ କ୍ଷେତ୍ରରେ ୨ଶହରୁ ଅଧିକ ଲାଇଟ୍‌ ହାଉସ ରହିଛି। ଏସବୁ ଶତାଧିକ ବର୍ଷ ପୁରୁଣା। ଶହ ଶହ ବର୍ଷ ଧରି ଏହି ଲାଇଟ୍‌ ହାଉସ୍‌ଗୁଡ଼ିକ ଭାରତର ସାମୁଦ୍ରିକ ବାଣିଜ୍ୟକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି ।

ଏସବୁ ଲାଇଟ୍‌ ହାଉସରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ ସରକାର ଲାଇଟ ହାଉସଗୁଡ଼ିକର ଆଧୁନିକୀକରଣ କରାଯାଇଛି, ସେଗୁଡ଼ିକର ଆକର୍ଷଣ ବୃଦ୍ଧି କରାଯାଇଛି ଯାହାଫଳରେ ଗତ ୧୦ ବର୍ଷ ମଧ୍ୟରେ ଲାଇଟ୍‌ ହାଉସ୍‌ ଦେଖିବା ଲାଗି ୧୬ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ଏହାକୁ ୫୦ ଲକ୍ଷ ପର୍ଯ୍ୟନ୍ତ ବଢ଼ାଇବା ଲାଗି ନୂଆ ଯୋଜନା ଓ ବ୍ୟବସ୍ଥା କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଲାଇଟ୍‌ ହାଉସ୍‌ ପର୍ଯ୍ୟଟନ ଦ୍ୱାରା ଲକ୍ଷାଧିକ ଯୁବବର୍ଗଙ୍କୁ ନିଯୁକ୍ତି ମିଳିପାରିବ ଏବଂ ଏହାଦ୍ୱାରା ଉପକୂଳବର୍ତ୍ତୀ ରାଜ୍ୟ ଓ ଦେଶର ଅର୍ଥବ୍ୟବସ୍ଥା ସୁଦୃଢ଼ ହେବ।