ଲଣ୍ଡନ: ଭକ୍ତଙ୍କ ପାଖକୁ ଓହ୍ଲାଇ ଆସିଛନ୍ତି ଭାବ ବିନୋଦିଆ କଳାଠାକୁର। ଭାଇଭଉଣୀଙ୍କ ସହ ରତ୍ନସିଂହାସନ ଛାଡ଼ି ଆରମ୍ଭ କରିଛନ୍ତି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା। ଘଣ୍ଟନାଦ ସହ ବର୍ଷକ ପରେ ପୁଣିଥରେ ତିନିଠାକୁରଙ୍କୁ ନେଇ ଘର୍ଘର ନାଦ ଦେଇ ପୁରୀ ବଡ଼ଦାଣ୍ଡରେ ଗଡ଼ିଛି ରଥ। ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ। ରଥାରୂଢ଼ କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତି ଭାବରେ ଭିଜିଛନ୍ତି ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ଚର୍ମଚକ୍ଷୁରେ ଦର୍ଶନ ସୌଭାଗ୍ୟ ଲଭି ଝରାଇଛନ୍ତି ଆନନ୍ଦାଶ୍ରୁ। ରଥ ଦଉଡ଼ି ସ୍ପର୍ଶ କରି ଅର୍ଜିଛନ୍ତି କୋଟିପୁଣ୍ୟ। ଭଜନକୀର୍ତ୍ତନରେ ସୃଷ୍ଟି ହୋଇଛି ଭକ୍ତି ଓ ଭାବମୟ ପରିବେଶ। ଶ୍ରଦ୍ଧା ଓ ଭକ୍ତିରେ ଭିଜିଛି ସମଗ୍ର ବଡ଼ଦାଣ୍ଡ। ଏହାରି ଭିତରେ ସାତ ଦରିଆ ପାରି ଲଣ୍ଡନରେ ବି ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜିତ ହୋଇଯାଇଛି |
ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ (SJSUK)ର କାର୍ଯ୍ୟକର୍ତ୍ତାମାନେ ଲଣ୍ଡନର ଅପଟନ କୋର୍ଟ ପାର୍କ, ସ୍ଲାଓରେ ରଥଯାତ୍ରାର ଏକ ବିଶାଳ ଉତ୍ସବ ଆୟୋଜନ କରିଥିଲେ । ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ଭକ୍ତମାନେ ଟାଣି ଟାଣି ନେଇଯାଇଥିଲେ | ପାଖାପାଖି ୧ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏଥିରେ ସମବେତ ହୋଇଥିବାବେଳେ ଲଣ୍ଡନର ଶ୍ରୀରାମ ମନ୍ଦିରରେ ଥିବା ଅସ୍ଥାୟୀ ମନ୍ଦିରରୁ ତିନି ଦିଅଁଙ୍କୁ ରଥ ଯୋଗେ ଅପଟନ କୋର୍ଟ ପାର୍କକୁ ଅଣାଯାଇଥିଲା |
ହରିବୋଲ-ହୁଳହୁଳିରେ ଲଣ୍ଡନର ରାଜରାସ୍ତା ପ୍ରକମ୍ପିତ ହୋଇଥିବାବେଳେ ଭାରତୀୟ କମିଶନର ଡେପୁଟି ହାଇ କମିଶନର ସୁଜିତ ଘୋଷ, ସାଉଥହଲ ଶ୍ରୀରାମ ମନ୍ଦିରର ଟ୍ରଷ୍ଟି ଅରୁଣ ଠାକୁର ପ୍ରମୁଖ ଛେରାପହଁରା ନୀତି ସମ୍ପାଦନା କରିଥିବାବେଳେ ଜୟ ଜଗନ୍ନାଥ ନାରାରେ ସାରା ଅଂଚଳ ପ୍ରକମ୍ପିତ ହୋଇଥିଲା | ବିଶେଷ ଅତିଥି ଭାବରେ ୱେଣ୍ଡସରର ସାଂସଦ ଜ୍ୟାକ ରାଙ୍କନିନ, ସ୍ଲାଓର ଡେପୁଟି ମେୟର ନୀଲ ରାଣା, ସ୍ଲାଓର କାଉନ୍ସିଲର ସୁବାସ ମହିନ୍ଦ୍ରା, ପ୍ରମୁଖ ଯୋଗ ଦେଇଥିଲେ | ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେର ଅଧ୍ୟକ୍ଷ ଡ଼.ସହଦେବ ସ୍ୱାଇଁ ସମସ୍ତଙ୍କୁ ଏଥିରେ ସାମିଲ ହୋଇଥିବାରୁ କୃତଜ୍ଞତା ଜଣାଇବା ସହ ଲଣ୍ଡନରେ ଏକ ପ୍ରତୀକାତ୍ମକ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସଂଗଠନର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/29/06eb9cef-7149-4db8-b4fd-92a95966903f-2025-06-29-19-58-18.jpg)