ରାଉରକେଲା: ବନ୍ଧମୁଣ୍ଡା ଡିଜେଲ କଲୋନିରେ ୬ ଜଣ ଦୁର୍ବୃତ୍ତ ଘରେ ପଶି ରେଳବାଇ ଜେଇଙ୍କୁ ବାନ୍ଧି ସୁନା ଗହଣା ଟଙ୍କା ଲୁଟି ନେଇଛନ୍ତି l ଜେଇ ଓ ତାଙ୍କ ପତ୍ନୀଙ୍କୁ ଗୋଟିଏ ଘରେ ବାନ୍ଧି ଲୁଟପାଟ କରିଥିଲେl ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି l ବନ୍ଧମୁଣ୍ଡା ପୁଲିସ ପହଂଚି ଘଟଣାର ତଦନ୍ତ ଚଳାଇଛି l କେତେ ଟଙ୍କା ଓ ସୁନା ଗହଣା ଲୁଟ ହୋଇଛି ଜଣା ପଡିନି l

Advertisment

ମିଳିଥିବା ସୂଚନା ଅନୁଯାୟୀ ରେଳବାଇ ଜେଇ ଦିଲୀପ ପଣ୍ଡା ଓ ତାଙ୍କ ପତ୍ନୀ ବନ୍ଧମୁଣ୍ଡା ଡିଜେଲ କଲୋନିରେ ପରିବାର ସହ ରହନ୍ତି l ଗତକାଲି ପରିବାର ସମସ୍ତେ ଶୋଇବାପରେ ବିଳମ୍ବିତ ରାତିରେ ୬ ଜଣ ଦୁର୍ବୃତ୍ତ ଘରର ପଛପାର୍ଶ୍ଵ ଝରକା କାଟି ଭିତରକୁ ପଶିଥିଲେ l ଏମାନଙ୍କ ମଧ୍ୟରୁ ଜଣେ ଦିଲୀପଙ୍କ ବେକରେ ଛୁରୀ ଲଗାଇ ବାନ୍ଧିଦେଇଥଲେ l ଅନ୍ୟ ଜଣେ ତାଙ୍କ ପତ୍ନୀ ବେକରେ ଛୁରୀ ଲଗାଇ ଘରର ଗୋଟିଏ କୋଣରେ ବସାଇ ଦେଇଥିଲେ l ଅନ୍ୟ ଚାରିଜଣ ଆଲମିରା ଭାଙ୍ଗି ଟଙ୍କା, ପତ୍ନୀଙ୍କ ବେକରୁ ନେକଲେସ,ସୁନା ମୁଦି, କାନଫୁଲ, ଅନ୍ୟ ସୁନାଗହଣା ଲୁଟି ଫେରାର ହୋଇ ଯାଇଥିଲେ l