ରାଉରକେଲା/ବେଦବ୍ୟାସ: ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଜାତୀୟ ରାଜପଥ ପାର୍ଶ୍ବ ଓ ଥାନା ନିକଟସ୍ଥ ଗୋଟିଏ କି ଦୁଇଟି ନୁହେଁ ୫ଟି କାର୍‌ ସୋ’ରୁମ୍‌ରେ ଲୁଟ୍‌ କରିଛନ୍ତି। ତା’ ପୁଣି ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ପ୍ରାୟ ୪ ଘଣ୍ଟା ଧରି ଗୋଟିଏ ପରେ ଗୋଟିଏ ସୋ’ରୁମ୍‌ରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି। ଲକ୍‌ର ବକ୍ସ, କ୍ୟାସ୍‌ ବକ୍ସ, କ୍ରେଡିଟ୍‌କାର୍ଡ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ସୁରକ୍ଷାକର୍ମୀଙ୍କ ବାଇକ୍‌ ଧରି ଚମ୍ପଟ ମାରିଛନ୍ତି।

Advertisment

ବିଳମ୍ବିତ ରାତିରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ, ବେଲଡିହି ଓ ଆଇଡିସି ଛକ ନିକଟସ୍ଥ ୫ଟି କାର୍‌ ସୋ’ରୁମ୍‌ରେ ଏମିତି ତାଣ୍ଡବ ମଚାଇ ସୁରକ୍ଷିତ ଭାବେ ଫେରାର ହୋଇଯାଇଥିବା  ୩ ମୁଖାପିନ୍ଧା ଯୁବକଙ୍କ ଟେର୍‌ ପାଉନି ପୁଲିସ ଟିମ୍‌। ସାଇଣ୍ଟିଫିକ୍‌ ଟିମ୍‌, ସନ୍ଧାନୀକୁକୁର, ପୁଲିସର ବରିଷ୍ଠ ଅଧିକାରୀ ୫ କାର୍‌ ସୋ’ରୁମ୍‌ରେ ପହଞ୍ଚି ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ତଦନ୍ତ କରିଥିଲେ ହେଁ କିଛି ସୁଫଳ ମିଳିନି। ଏସ୍‌ପିଙ୍କ ନିର୍ଦେଶକ୍ରମେ ଗଠିତ ତିନି ପୁଲିସ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ବିଳମ୍ବିତ ରାତିରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ, ବେଲଡିହି ଓ ଆଇଡିସି ଛକ ନିକଟସ୍ଥ ୫ଟି କାର୍‌ ସୋ’ରୁମ୍‌ରେ ଏମିତି ତାଣ୍ଡବ ମଚାଇ ସୁରକ୍ଷିତ ଭାବେ ଫେରାର ହୋଇଯାଇଥିବା  ୩ ମୁଖାପିନ୍ଧା ଯୁବକଙ୍କ ଟେର୍‌ ପାଉନି ପୁଲିସ ଟିମ୍‌। ସାଇଣ୍ଟିଫିକ୍‌ ଟିମ୍‌, ସନ୍ଧାନୀକୁକୁର, ପୁଲିସର ବରିଷ୍ଠ ଅଧିକାରୀ ୫ କାର୍‌ ସୋ’ରୁମ୍‌ରେ ପହଞ୍ଚି ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ତଦନ୍ତ କରିଥିଲେ ହେଁ କିଛି ସୁଫଳ ମିଳିନି। ଏସ୍‌ପିଙ୍କ ନିର୍ଦେଶକ୍ରମେ ଗଠିତ ତିନି ପୁଲିସ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ବ୍ରାହ୍ମଣୀତରଙ୍ଗ ଥାନାଠୁ ମାତ୍ର କେଇ ମିଟର ଦୂର‌ରେ ଗୋଟିଏ ରାତିରେ ଏକକାଳୀନ ୫ଟି କାର୍‌ ସୋ’ରୁମ୍‌ରେ ଲୁଟ୍‌ ହେବା ଘଟଣା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ବାରମ୍ବାର ଚୋରି ହେଉଥିବାରୁ ବେଦବ୍ୟାସ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଭୟରବାତାବଣ ସୃଷ୍ଟି ହୋଇଛି। ସୋ’ରୁମ୍‌ ମାଲିକଙ୍କ ପୃଥକ ପୃଥକ ଲିଖିତ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଛି। ରାତି ପ୍ରାୟ ସାଢ଼େ ୧୨ଟାରେ। ତିନି ମୁଖାପିନ୍ଧା ଯୁବକ ବେଲ୍‌ଡିହିସ୍ଥ ରାଜା ମୋଦିଙ୍କ ମହିନ୍ଦ୍ରା, କିଆ ଓ ହୁଣ୍ଡା କାର୍‌ ସୋ’ରୁମ୍‌ରେ ପଶିଥିଲେ। ଘଣ୍ଟାଏ ଧରି କ୍ୟାସ୍‌ କାଉଣ୍ଟର ଓ ଅନ୍ୟ ରୁମ୍‌ ପଶି ଲୁଟ୍‌ପାଟ୍‌ କରିଥିଲେ। କ୍ୟାସ୍‌ କାଉଣ୍ଟରରେ ଥିବା ୨୦ ହଜାର ଟଙ୍କା ସହ ଲକ୍‌ରକୁ ଉଠାଇ ନେଇଥିଲେ। ଲକ୍‌ରରେ ଟଙ୍କା ନଥିବାରୁ ନାଳା ନିକଟରେ ଫିଙ୍ଗିଦେଇଥିଲେ। ସେଠାରୁ ସିଧାସଳଖ ଯାଇ ପହଞ୍ଚିଥିଲେ ବେଦବ୍ୟାସର ହ୍ୟୁଣ୍ଡାଇ କାର୍‌ ସୋ’ରୁମ୍‌ରେ। ରାତି ପ୍ରାୟ ଦେଢ଼ଟାରେ ସୋ’ରୁ୍ମ୍‌ ଗେଟ୍‌ରେ ଜଗିଥିବା ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ଗୋଟିଏ ଜାଗାରେ ବସାଇଦେଇଥିଲେ। ରାତି ଦେଢ଼ଟାରୁ ଅଢ଼େଇଟା ପର୍ଯ୍ୟନ୍ତ ଲୁଟ୍‌ପାଟ୍‌ କରିଥିଲେ। କ୍ୟାସ୍‌ ଡ୍ର ଭଙ୍ଗାରୁଜା କରିଥିଲେ। ଡ୍ରରେ ରଖାଯାଇଥିବା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, କ୍ରେଡିଟ୍‌କାର୍ଡ ସହ ଲକରକୁ ଉଠାଇ ନେଇ ସୋ’ରୁମ୍‌ ବାହାକୁ ଯାଇଥିଲେ। ସୁରକ୍ଷାକର୍ମୀଙ୍କୁ ସ୍କ୍ରୁଡ୍ରାଇଭରରେ ମାଡ଼ ମାରିବା ସହ ବାନ୍ଧିପକାଇଥିଲେ। ରୁମ୍‌ରେ ପୁରାଇ ବାହାରପଟୁ ବନ୍ଦ କରିଦେବା ସହ ସୁରକ୍ଷାକର୍ମୀଙ୍କ ବାଇକ୍‌ (ଓଡି୧୪ଭି-୨୮୧୭)କୁ ଧରି ସେଠାରୁ ଫେରାର ‌ହୋଇଯାଇଥିଲେ।

ଏତିକିରେ ତିନି ମୁଖାପିନ୍ଧା ଯୁବକଙ୍କ ଲୁଟ୍‌ପାଟ୍‌ ସରି ନଥିଲା। ରାତି ପ୍ରାୟ ୪ଟାରେ ଟିସିଆଇ ଛକ ନିକଟସ୍ଥ ‘ନେକ୍ସା’ ସୋ’ରୁମ୍‌ରେ ପଶିଥିଲେ। ସେଠାରୁ କିଛି କାଗଜପତ୍ର ଓ ନଗଦ ୨୫ ହଜାର ଟଙ୍କା ନେଇ ଚାଲିଯାଇଥିଲେ। ତିନି ମୁଖାପିନ୍ଧା ଯୁବକ ହିନ୍ଦୀ ଓ ବେଙ୍ଗଲି ଭାଷାରେ କଥା ହେଉଥିଲେ। ସେମାନଙ୍କ ଚୋରିର ଦୃଶ୍ୟ ୫ ସୋ’ରୁମ୍‌ରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି। ସିସି ଟିଭି ଫୁଟେଜ୍‌ ଆଧାରରେ ଫେରାର ତିନି ଯୁବକଙ୍କୁ ଧରିବାକୁ ଏସ୍‌ପିଙ୍କ ନିର୍ଦେଶ କ୍ରମେ ତିନିଟି ପୁଲିସ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ତିନି ଅଜ୍ଞାତ ଯୁବକ ହିନ୍ଦୀ ଓ ବେଙ୍ଗଲି ଭାଷାରେ କଥା ହେଉଥିବାରୁ ଅନ୍ତଃରାଜ୍ୟ ଲୁଟେରା ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।