ଦେଓଗାଁ: ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକର ଏକ ହନୁମାନ ମନ୍ଦିରକୁ ରାତି ଅଧରେ ପଶି ପୂଜା ସାମଗ୍ରୀ ସହ ପ୍ରଭୁଙ୍କ ଘଣ୍ଟି ଓ ଦାନ ଟଙ୍କା ଜଣେ ଲୁଟେରା ଚୋରି କରିନେଇଥିବା ଅଭିଯୋଗ ହୋଇଛି | ଦେଓଗାଁ ଥାନାରେ ଏନେଇ ଅଭିଯୋଗ ପାଇବା ପରେ ପୁଲିସ କେସ ନମ୍ୱର ୨୫୦ରେ ଏକ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ ଚୋରି କରି ଚୋର ପଳାଇବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲେ ବି ପୁଲିସ ହାତରେ ଲୁଟେରା ଧରାପଡ଼ିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ମିଳିଥିବା ସୂଚନା ଅନୁସାରେ ମୁରୁସିଂ ବଜରଙ୍ଗ ବଳୀ ଛକରେ ଥିବା ହନୁମାନ ମନ୍ଦିରରୁ ଗତ ରାତିରେ ଚୋରି ହୋଇଥିବା ନେଇ ସକାଳେ ଜଣାପଡିଥିଲା। ଏନେଇ ଗାଁ ଲୋକେ ଯାଇ ଦେଖିବା ପରେ ମନ୍ଦିରରେ ଲାଗିଥିବା ଘଣ୍ଟି, ସହ ଦାନ ବାକ୍ସ ନ ଥିବା ଦେଖିବାକୁ ପାଇଥିଲେ। ଗାଁ ଭିତରେ ଲାଗିଥିବା ଏକ ସିସିଟିଭିରେ ଚୋରି କରି ନେଉଥିବା ସାମଗ୍ରୀର ଦୃଶ୍ୟ ମଧ୍ଯ କଏଦ ହୋଇଛି। ଏହାକୁ ନେଇ ଗାଁରେ ଏକ ବୈଠକ ହେବା ପରେ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଫୁଟେଜ ଦେଖି ପୁଲିସ ଚୋରକୁ ଧରିବ ନା ମାମଲା ରୁଜୁ କରି ଚୁପ ରହିବ ତାକୁ ନେଇ ଆଲୋଚନା ଜାରି ରହିଛି।