ଧାରାବାହିକ ‘ମାନିନୀ’ରେ ପ୍ରଥମେ ହିରୋ ଓ ପରେ ଆଣ୍ଟି ହିରୋ ଭୂମିକା ନିଭାଇ ଲୋକଲୋଚନକୁ ଆସିଥିଲେ ଅଭିନେତା ଜୟଜିତ ଦାସ। ସଂପ୍ରତି ପ୍ରସାରିତ ହେଉଥିବା ‘ଭାଗ୍ୟରେଖା’ ଧାରାବାହିକରେ ତାଙ୍କର ଅଭିନୟ ଦର୍ଶକଙ୍କ ମନ ମୋହିଛି। ୨୦୨୦ ମସିହାରେ ଆଗଧାଡ଼ିର ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ କରିଥିବା ‘କୁଇନ୍’ ଚଳଚ୍ଚିତ୍ର ତାଙ୍କୁ ଭିନ୍ନ ପରିଚୟ ଦେଇଛି। ଆଗକୁ ଆସୁଛି ବର୍ଷାଙ୍କ ସହ ତାଙ୍କ ଅଭିନୀତ ଆଉ ଏକ ଚଳଚ୍ଚିତ୍ର ‘ୱାଇଫ୍’। ଏବେ ସୁଦ୍ଧା ୬ଟି ସିନେମାରେ ଅଭିନୟ କରି ସାରିଥିବା ଜୟଜିତଙ୍କ ସହ ଅଳ୍ପ ଆଳାପ।
ଧାରାବାହିକରୁ କ୍ୟାରିୟର୍ ଆରମ୍ଭ ମାତ୍ର ସିନେମାରେ ଅଧିକ ସକ୍ରିୟ। ଦର୍ଶକ କେଉଁଥିପାଇଁ ଅଧିକ ଭଲପାଇବା ଦେଉଛନ୍ତି? ସିନେମା ନା ଟେଲିଭିଜନ୍?
ଉଭୟ ସିରିୟଲ୍ ଓ ସିନେମାରେ ମୋତେ ସମାନ ଭଲପାଇବା ମିଳିଛି। ମାତ୍ର ମୋତେ ଲାଗେ ସିରିୟଲ୍ରେ ଲୋକଙ୍କ ଭଲପାଇବା ହାସଲ କରିବା ଅପେକ୍ଷାକୃତ ସହଜ। କାହିଁକି ନା, ଆମେ ଟିଭି ମାଧ୍ୟମରେ ଦର୍ଶକଙ୍କ ବେଡ୍ରୁମ୍ରେ ପହଞ୍ଚିପାରୁ। ମାତ୍ର ସିନେମା କଥା ଅଲଗା। ସେଠି ଦର୍ଶକଙ୍କ ମନ ଜିଣିବା ପାଇଁ ହେଲେ ଛବିକୁ ହିଟ୍ କରାଇବାକୁ ପଡ଼ିଥାଏ। ହେଲେ ମୋତେ ଦୁଇଟିଯାକ କ୍ଷେତ୍ରରେ ଦର୍ଶକ ସମାନ ଭଲପାଇବା ଅଜାଡ଼ି ଦେଇଛନ୍ତି।
ଧାରାବାହିକରୁ ନେଇ ସିନେମା ପର୍ଯ୍ୟନ୍ତ ଆପଣଙ୍କୁ ଅଧିକ ଭାବେ ଆଣ୍ଟି-ହିରୋ ଭୂମିକା ନିଭାଉଥିବାର ଦେଖିବାକୁ ମିଳୁଛି। ଏପରି କାହିଁକି?
ଆଜିଯାଏ ମୁଁ ଦୁଇଟି ଅାଣ୍ଟି-ହିରୋ ଚରିତ୍ର କରିଛି। ଗୋଟାଏ ସିରିୟଲ୍ରେ ଓ ଅନ୍ୟଟି ମୋର ପ୍ରଥମ ଚଳଚ୍ଚିତ୍ରରେ। ବାକି ସବୁଥିରେ ହିରୋ ହୋଇଛି। ମାତ୍ର ମୋର ଅଭିନୟର ଯେଉଁ ଭୋକଟା ଅଛି ତାହା ମୁଁ ବେଶି ମେଣ୍ଟାଇ ପାରିଛି ଆଣ୍ଟି-ହିରୋ ଚରିତ୍ରରେ। କାରଣ ସେପରି ଚରିତ୍ରରେ ଅଭିନୟ ସହ ଖେଳିବା ପାଇଁ ବହୁତ ସୁଯୋଗ ମିଳେ।
‘କୁଇନ୍’ ସିନେମାରେ ଆପଣ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ କାମ କରିଛନ୍ତି। ଜଣେ ଆଗଧାଡ଼ିର ନାୟିକାଙ୍କ ସହ କାମ କରିବା ହେତୁ ସିନେମାରେ ଆପଣଙ୍କ ଗୁରୁତ୍ବ ଟିକେ କମ୍ ହେବା ପରି ଲାଗେ କି?
ଆପଣ ଯେଉଁ ପ୍ରଶ୍ନ ପଚାରିଲେ ସେପରି ସମସ୍ୟାର ସମ୍ମୁଖୀନ ହୋଇଥିବା କଥା ମୋର କିଛି କଳାକାର ବନ୍ଧୁଙ୍କ ନିକଟରୁ ମୁଁ ଶୁଣିଛି। ସେମାନଙ୍କ ସହ ସେପରି ହୋଇଛି। ବଡ଼ କଳାକାରଙ୍କ ସହ କାମ କରିବା ଦ୍ବାରା ସେମାନଙ୍କ ଗୁରୁତ୍ବ କମିଯାଇଛି। ମାତ୍ର ସୌଭାଗ୍ୟବଶତଃ ମୋ ସହ ସେପରି ଆଦୌ ହୋଇନାହିଁ। ‘କୁଇନ୍’ରେ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ମୋତେ ପୂରା ସମାନ୍ତରାଳ ଚରିତ୍ର ଦିଆଯାଇଛି। ସେ ଚରିତ୍ରକୁ ମୁଁ ନିଭାଇବାକୁ ଚେଷ୍ଟା କରିଛି। ସେଥିରେ ମୋ ଅଭିନୟକୁ ନେଇ ସେ ବି ବହୁତ ସନ୍ତୁଷ୍ଟ ଥିଲେ। ମୋଟାମୋଟି, ମୁଁ ସେପରି ଅନୁଭବ କରିନାହିଁ।
ପରଦାରେ ଜୟଜିତ ଟିକେ ଗମ୍ଭୀର ସ୍ବଭାବର। ବାସ୍ତବ ଜୀବନରେ ବି ସେପରି?
ପରଦାରେ ମୋତେ ଦର୍ଶକମାନେ ଅଧିକାଂଶ କ୍ଷେତ୍ରରେ ନେଗେଟିଭ୍ ଓ ଗମ୍ଭୀର ସ୍ବଭାବର ଚରିତ୍ରରେ ଦେଖିଛନ୍ତି। ମାତ୍ର ବାସ୍ତବ ଜୀବନରେ ମୁଁ ପୂରା ଓଲଟା, ଏକଦମ୍ ମଜାଳିଆ। ମୁଁ ବିଶ୍ବାସ କରେ ଯେ ଆମ ଭିତରର ପିଲାଳିଆମି ଯେପର୍ଯ୍ୟନ୍ତ ବଞ୍ଚିଛି, ଆମେ ସେ ପର୍ଯ୍ୟନ୍ତ ବଞ୍ଚିଛେ। ମୁଁ ମୋ ସାଙ୍ଗମାନଙ୍କ ସହ ବହୁତ ମସ୍ତି କରେ। ଯଦି କାର୍ଯ୍ୟବ୍ୟସ୍ତତା ହେତୁ କେବେ କୌଣସି ବନ୍ଧୁ ମିଳନକୁ ଯାଇପାରେନି ତ ସେମାନେ ମୋତେ ବହୁତ ମିସ୍ କରନ୍ତି। ପରଦାରେ ଦିଶୁଥିବା ମୁଁ ଓ ବାସ୍ତବ ମୁଁ ଦୁଇଟା ଭିନ୍ନ ମଣିଷ।
ଆପଣଙ୍କୁ କେହି କେବେ ପ୍ରେମ ନିବେଦନ କରିଛନ୍ତି କି? ଯଦି କରିଛନ୍ତି ତେବେ ଆପଣଙ୍କ ଉତ୍ତର କ’ଣ ଥିଲା?
କଲେଜ ଜୀବନରୁ ନେଇ ଅଭିନୟ ଜୀବନ ମଧ୍ୟରେ ମୋତେ ଅନେକ ଜଣ ପ୍ରେମ ନିବେଦନ କରିଛନ୍ତି। କିଛି କ୍ଷେତ୍ରରେ ମୁଁ ଗ୍ରହଣ କରିଛି। ମାତ୍ର ଯେଉଁ କ୍ଷେତ୍ରରେ ମୁଁ ଗ୍ରହଣ କରିନାହିଁ, ବହୁତ ସମ୍ମାନର ସହ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛି। ମୁଁ ସାମ୍ନା ଲୋକର ଭାବନାକୁ ଖୁବ୍ ସମ୍ମାନ କରିଛି। ମୋତେ ବି ପ୍ରେମ ହୋଇଛି। ଜୀବନରେ ଥରେ ହୋଇଛି, ଯାହାକୁ ମୁଁ ପାରିବାରିକ ସମସ୍ୟା ହେତୁ ପାଇପାରିନି। କୁହାଯାଏ, ପ୍ରକୃତ ଭଲପାଇବା କେବେ ମିଳେନି ଓ ମୋ ସହ ତାହା ହୋଇଛି। ଭଲପାଇବା କ’ଣ, ତାହାର ମହତ୍ତ୍ବ କେତେ ମୁଁ ବୁଝିଛି। ସେଥିପାଇଁ ମୋତେ ଭଲପାଉଥିବା ସବୁ ଲୋକ ଓ ତାଙ୍କ ଭାବନାକୁ ମୁଁ ସମ୍ମାନ କରେ। ମାତ୍ର ଯେଉଁଠି ସମ୍ଭବ ହୋଇପାରେନି ତ ମୁଁ ସାମ୍ନା ଲୋକକୁ ବୁଝାଇଶୁଝାଇ ଭଲ ବନ୍ଧୁତ୍ବ ରଖିବାକୁ ଚେଷ୍ଟା କରେ।
ଟଙ୍କା ନା ଲୋକପ୍ରିୟତା? କେଉଁଟା ଆପଣଙ୍କ ପାଇଁ ଅଧିକ ଜରୁରି?
ଏକ ସମୟ ଥିଲା ମୋ ପାଇଁ ଲୋକପ୍ରିୟତା ହିଁ ସବୁକିଛି ଥିଲା। ଭାବୁଥିଲି ଟଙ୍କା ଯେତିକି ଅଛି ଚଳିଯିବି, ଖାଲି ଲୋକପ୍ରିୟତା ପାଇଁ ପରିଶ୍ରମ କରୁଥିଲି। ମାତ୍ର ମୋ ଜୀବନରେ ଏମିତି କିଛି ଘଟିଛି, ଯାହା ପାଇଁ ମୁଁ ବୁଝିଗଲି ଯେ ଟଙ୍କା ବହୁତ ଜରୁରି। ଆଜିକାଲିକା ସମାଜରେ ଟଙ୍କା ନଥିଲେ କିଛି ନାହିଁ, ଏହା ଏକ ଅପ୍ରିୟ ସତ କଥା। ବର୍ତ୍ତମାନ ପରିସ୍ଥିତିରେ ମୁଁ ଟଙ୍କା ଓ ଲୋକପ୍ରିୟତା ଦୁଇଟାକୁ ସମାନ ଗୁରୁତ୍ବ ଦେଉଛି।
ଆପଣଙ୍କ ପରି ଆଜିକାଲି ଅଧିକାଂଶ କଳାକାର ଯାତ୍ରାମୁହାଁ ହୋଇଛନ୍ତି। ଏନେଇ ଆପଣଙ୍କର ମତାମତ କ’ଣ?
ମୋତେ ଲାଗୁଛି ୯୯ ସିରିୟଲ୍ କଳାକାର ଟଙ୍କା ପାଇଁ ହିଁ ଯାତ୍ରାମୁହାଁ ହୋଇଛନ୍ତି। ହୁଏତ କେହି ମାନି ନପାରନ୍ତି, ମାତ୍ର ମୁଁ ଟଙ୍କା ପାଇଁ ଯାତ୍ରାକୁ ଯାଇଛି। କାରଣ ଯାତ୍ରାର ପେମେଣ୍ଟ୍ ସିରିୟଲ୍ ଓ ସିନେମାଠାରୁ ଅଧିକ। କଳାକାରମାନେ ନିଜର କିଛି ସ୍ବପ୍ନକୁ ସାକାର କରିବା ପାଇଁ ରୋଜଗାରର ମାଧ୍ୟମ ଭାବେ ଯାତ୍ରାକୁ ଆପଣାନ୍ତି। ଏହା କିଛି ଖରାପ କଥା ନୁହେଁ। ମୁଁ ମଧ୍ୟ ମୋର କିଛି ଟାର୍ଗେଟ୍ ପୂରା କରିବାକୁ ଯାତ୍ରାରେ ଅଭିନୟ କରୁଛି।