ବିବାହିତ ମହିଳାଙ୍କ ସହ ଅବିବାହିତ ଯୁବକଙ୍କ ପ୍ରେମ ଧରାପଡ଼ିଲା, ଦୁହିଁଙ୍କୁ ବିବାହ କରାଇଲେ ଗାଁଲୋକେ

ପାଇକସାହି: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସହ ଜଣେ ଅବିବାହିତ ଯୁବକଙ୍କ ଲୁଚାଛପା ପ୍ରେମ ଧରାପଡ଼ିଯାଇଛି। ଗ୍ରାମବାସୀ ପ୍ରେମିକଙ୍କୁ ଗାଁରେ ବାନ୍ଧିବା ସହ ବୈଠକ କରି ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ କରାଇଛନ୍ତି। ଠାକୁରଗଡ଼ ଥାନା ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଫୋନ୍‌ ମିସ୍‌ କଲରୁ ହଣ୍ଡପା ଥାନା ଅଞ୍ଚଳର ଜଣେ ୨୫ ବର୍ଷ ବୟସ୍କ ଅବିବାହିତ ଯୁବକଙ୍କ ସହ ଠାକୁରଗଡ଼ ଥାନା ଅଞ୍ଚଳର ପ୍ରାୟ ୨୭ ବର୍ଷ ବୟସ୍କା ଏହି ବିବାହିତ ମହିଳାଙ୍କର ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ମହିଳାଙ୍କ ସ୍ୱାମୀ ଅନୁଗୁଳ ଅଞ୍ଚଳର ଏକ ପେଟ୍ରୋଲ୍‌ ପମ୍ପରେ କାର୍ଯ୍ୟ କରୁଛନ୍ତି। ମହିଳାଙ୍କର ୪ ବର୍ଷ ବୟସର ପୁଅଟିଏ ଅଛି। ସ୍ୱାମୀ ଅଧିକାଂଶ ସମୟରେ ଘରେ ରହୁନଥିବାରୁ ପ୍ରେମିକ ଯୁବକ ମହିଳାଙ୍କ ପାଖକୁ ଯିବାଆସିବା କରୁଥିଲେ। ଗାଁର କିଛି ଯୁବକଙ୍କ ଆଖିରେ ଏହା ଧରାପଡ଼ିଥିଲା।

ଗତ ୭ ତାରିଖରେ ମହିଳାଙ୍କ ସ୍ୱାମୀ ଘରେ ନଥିବା ସୁଯୋଗରେ ଯୁବକ ଜଣକ ବାଇକ୍‌ରେ  ଆସିଥିଲେ। ବାଇକ୍‌ କିଛି ଦୂରରେ ରଖି ସେ ମହିଳାଙ୍କ କୋଠରିରେ ପଶିଥିଲେ। ଗାଁର ଯୁବକମାନେ ଏହା ପରେ କୋଠରିରେ ତାଲା ପକାଇଦେଇଥିଲେ। ପରେ ଗ୍ରାମବାସୀମାନେ ଯୁବକ ଓ ମହିଳାଙ୍କୁ ବାହାରକରି ଯୁବକଙ୍କୁ ବାନ୍ଧିଦେଇଥିଲେ। ଗାଁରେ ଏକ ବୈଠକ ବସିଥିଲା। ସଂପୃକ୍ତ ଯୁବକ ଓ ମହିଳାଙ୍କ ପରିବାର ସଦସ୍ୟ ପହଞ୍ଚିଥିଲେ। ସ୍ୱାମୀ ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ଲିଭାଇବା ସହ ହାତରୁ ଶଙ୍ଖା କାଢିଥିଲେ। ପ୍ରେମିକ ଯୁବକ ତାଙ୍କ ମୁଣ୍ଡରେ ସିନ୍ଦୂର, ହାତରେ ନୂଆ ଶଙ୍ଖା ପିନ୍ଧାଇଥିଲେ। ଉଭୟଙ୍କର ବିବାହ ହୋଇଥିଲା। ଗ୍ରାମବାସୀଙ୍କ ଉପସ୍ଥିତିରେ ଏ ସଂପର୍କରେ ଲେଖାଯିବା ପରେ ମହିଳା ନୂଆ ସ୍ୱାମୀଙ୍କ ସହ ଯାଇଥିଲେ।

ସମ୍ବନ୍ଧିତ ଖବର