ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧୀନ ସରକଣା ଗ୍ରାମରେ ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଛି ପ୍ରେମିକା | ନ୍ୟାୟ ନ ମିଳିବା ଯାଏଁ ପ୍ରେମିକ ଘର ସାମ୍ନାରୁ ଉଠିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ପ୍ରେମିକା | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ବିଶ୍ୱଜିତ ସାମନ୍ତରାୟଙ୍କ ଘର ପିଣ୍ଡାରେ ଧାରଣାରେ ବସିଛନ୍ତି ପ୍ରେମିକା ନିତୁ (ଛଦ୍ମନାମ) |

Advertisment

ନିତୁ ଅଭିଯୋଗ କରିଛନ୍ତି ଯେ ବିଶ୍ୱଜିତ ତାଙ୍କୁ ପ୍ରେମରେ ପ୍ରତାରଣା କରିବା ସହ ଧୋକା ଦେଇଛନ୍ତି | ନିଁତୁଙ୍କ କହିବା କଥା ଯେ ଅଢେଇ ବର୍ଷ ପୂର୍ବେ ବିଶ୍ୱଜିତଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଧୀରେ ଧୀରେ ଦୁହେଁ ଦୁହିଁଙ୍କ ଆଡ଼କୁ ଆକର୍ଷିତ ହେବା ସହ ପ୍ରେମରେ ମସଗୁଲ ହୋଇଥିଲେ| ପରେ ଉଭାୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଅନ୍ତରଙ୍ଗ ସମ୍ପର୍କ |

ଯୁବତୀ ଜଣଙ୍କ ବିଶ୍ୱଜିତ ପରିବାରଙ୍କ ସହମତିରେ ଆସି ତାଙ୍କ ଘରେ ରହୁଥିଲେ| ଉଭୟଙ୍କ ବିବାହ କରିବାକୁ ପରିବାର ମଧ୍ୟ ସ୍ଥିର କରିଥିଲେ କିନ୍ତୁ କିଛି ଦିନ ପରେ ସବୁ ପରିବର୍ତ୍ତନ ହୋଇଯାଇଥିଲା | ପରିବାର ଲୋକେ ବିବାହ ପାଇଁ ଅମଙ୍ଗ ହୋଇଥିଲେ | 

ଏନେଇ ଯୁବତୀ ଜଣଙ୍କ ପ୍ରଥମେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଯୁବତୀ ଅଭିଯୋଗ କରିଛନ୍ତି| ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ସେମିତି ପ୍ରେମିକ ବାରଣ୍ଡାରେ ଧାରଣା ଦେବେ ବୋଲି କହିଛନ୍ତି ନିତୁ | ନ୍ୟାୟ ନ ମିଳିବା ଯାଏଁ ଏଠାରୁ ଉଠିବା ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି |