ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ, ୨୦ ଓ ୨୧ ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ସାଇକ୍ଲୋନିକ ସର୍କୁଲେସନ ଆସନ୍ତା କାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତି ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବା ସହ ଅଧିକ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ କେତୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା କାଲି ଅର୍ଥାତ ୨୦ ତାରିଖରେ ରାଜ୍ୟର ମାଲକାନଗିରି, କୋରାପୁଟ,ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା,କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୨୧ ତାରିଖରେ ୧୧ଟି ଜିଲ୍ଲା ଯଥା ଦେବଗଡ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ନୂଆପଡ଼ା, ସୋନପୁର ଓସମ୍ବଲପୁର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ୨୨ ତାରିଖରେ ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର