ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲଖନଉର ଟ୍ରାନ୍ସପୋର୍ଟ ନଗରରେ ଏକ ବଡ କୋଠା ଭୁଶୁଡ଼ିବା କାରଣରୁ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିବାର ଆଶଙ୍କା କରାଯାଉଛି | ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ।

Advertisment

ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟପାଲ ଗାଙ୍ଗୱାର କହିଛନ୍ତି ଯେ ଏସଡ଼ିଆରଏଫ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଲଖନଉର ଟ୍ରାନ୍ସପୋର୍ଟ ନଗରରେ କୋଠା ଭୁଶୁଡ଼ିବା କାରଣରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହି ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ତଥା ଲଖନଉ ସାଂସଦ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି। ବିଜେପି ସାଂସଦ ରାଜନାଥ ସିଂ ଏକ୍ସରେ ଲେଖିଛନ୍ତି - "ଲଖନଉରେ ଏକ କୋଠା ଭୁଶୁଡ଼ିବା ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ । ମୁଁ ଲଖନଉର ଜିଲ୍ଲାପାଳଙ୍କ ସହ କଥା ହୋଇଛି। ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛି ଏବଂ ପୀଡିତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାରେ ନିୟୋଜିତ ଅଛି।