ମହାରାଷ୍ଟ୍ରରେ ମିଳିଥିବା ମାରଣାସ୍ତ୍ର ଭର୍ତ୍ତି ବୋଟ୍ କାହାର ?

ମୁମ୍ବାଇ : ମହାରାଷ୍ଟ୍ରର ରାୟଗଡ଼ ଉପକୂଳରେ ଏକ ପରିତ୍ୟକ୍ତ ବୋଟରୁ ଏକେ-୪୭ ଓ ଅନ୍ୟ ମାରଣାସ୍ତ୍ର ମିଳିବା ଘଟଣା କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଲୋକମାନଙ୍କ ମନରେ ପୁଣି ୨୬/୧୧ ଆକ୍ରମଣ ଘଟଣା ତାଜା ହୋଇଯାଇଛି । ତେବେ ଏହି ବୋଟ୍ ସମ୍ପର୍କରେ କେତେକ ତାଜା ତଥ୍ୟ ମିଳିଛି ।

ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କହିଛନ୍ତି ଯେ ଏହି ବୋଟ ସଂପର୍କରେ ତଦନ୍ତ ଜାରି ରହିଛି । ପୁଲିସ ସବୁଦିଗରୁ ତଦନ୍ତ କରୁଛି । ଏନଆଇଏର ଏକ ଟିମ ମଧ୍ୟ ତଦନ୍ତ ପାଇଁ ସେଠାକୁ ଯାଉଛି ।

କିନ୍ତୁ ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ୧୬ ମିଟର ଲମ୍ବ ଏହି ପରିତ୍ୟକ୍ତ ବୋଟକୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ । ପରେ ଏଥିରୁ ଏକେ୪୭ ବାହାରି ଥିଲା ।

ଏହ ବୋଟର ମାଲିକାଣୀ ହେଉଛନ୍ତି ଜଣେ ଅଷ୍ଟ୍ରେଲୀୟ ମହିଳା । ଏହି ବୋଟଟି ମସ୍କାଟରୁ ୟୁରୋପ ଯାଉଥିଲା । କିନ୍ତୁ ପାଗ ଖରାପ ହେବାରୁ ଏଥିରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ବୋଟ ପରିତ୍ୟକ୍ତ ଅବସ୍ଥାରେ ଭାସି ଆସି ମହାରାଷ୍ଟ୍ର ଉପକୂଳରେ ଲାଗିଥିଲା ।

ଏହି ୟାଚ୍ (ବିଳାଶମୟ ବୋଟ୍) ସଂପର୍କରେ କେତେକ ନୂଆ ତଥ୍ୟ ଦେଇଛି ଅନ୍ତର୍ଜାତୀୟ ସିକ୍ୟୁରିଟି ଏଜେନ୍ସି ନେପଚୁନ ପି୨ପି ଗ୍ରୁପ । ଏହି ବୋଟର ନାଁ ହେଉଛି ମାଇଁ ଲେଡି ହାନ । ଗତ ଜୁନ ମାସରେ ଏହା ମସ୍କାଟରୁ ୟୁରୋପ ଯାଉଥିବାବେଳେ ଖରାପ ପାଗ ଯୋଗୁଁ ବିପଦରେ ଫସିଯାଇଥିଲା । ଏହାର କ୍ୟାପଟେନଙ୍କ ସଂଦେଶ ପାଇ ସମସ୍ତ ଲୋକମାନଙ୍କୁ ସେଥିରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ବୋଟ୍ ବୁଡ଼ିଗଲା ଭାବି ସେମାନେ  ତାହାକୁ ଭୁଲିଯାଇଥିଲେ । କିନ୍ତୁ ଏବେ ତାହା ଭାରତରେ ଲାଗିବା ପରେ ବୋଟର ମାଲିକ ଓ ନେପଚୁନ ପକ୍ଷରୁ ତାହାକୁ ନେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର