ମାଲକାନଗିରି: ଚଳିତ ୨୦୨୪ ନିର୍ବାଚନରେ ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ଏପରିକି ବିଜେଡି ତୃତୀୟ ସ୍ଥାନକୁ ଖସିଆସିଥିଲା। ତେବେ ଏଥିପାଇଁ ବିଜେଡିର ଗୋଷ୍ଠୀ କନ୍ଦଳକୁ ଦାୟୀ କରାଯାଇଥିଲା।ଜିଲ୍ଲା ବିଜେଡିରେ ସମସ୍ତ ଜଣେ ଜଣେ ଟାଣୁଆ ନେତା ବୋଲି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ପ୍ରାଣ ଉଦ୍ୟମ ଚେଷ୍ଟା ଜାରି ରଖିଥିଲେ।ଏପରିକି ସେମାନଙ୍କ ହାତରେ ହଜାର ହଜାର ଭୋଟ ରହିଛି ବୋଲି ନିଜକୁ ପ୍ରଦର୍ଶିତ କରୁଥିଲେ।

Advertisment

 ପୁଣି ରାଜ୍ୟ ନେତୃମଣ୍ଡଳୀଙ୍କ ନିକଟରେ ନିଜର ପତିଆରା ରହିଥିବା ଜାହିର କରିବା ପାଇଁ ସମସ୍ତ ଉଦ୍ୟମ ଓ ବଳ ଖଟାଉଥିଲେ। କିନ୍ତୁ କାମରେ ସଂପୂର୍ଣ୍ଣ ଜିରୋ ରହୁଥିଲା। ବିଜେଡି ରାଜ୍ୟ ନେତୃମଣ୍ଡଳୀଙ୍କ ଭରସା ଥିଲା ଯେ ମାଲକାନଗିରିର ଦୁଇଟି ନିର୍ବାଚନ ମଣ୍ଡଳୀକୁ ବିଜେଡି ସହଜରେ ହାତେଇ ନେବ। କିନ୍ତୁ ସବୁ ଭୁଲ ପ୍ରମାଣିତ ହୋଇଥିଲା। ବିଜେଡି ହାରିବା ପରେ ସମସ୍ତ ନେତା ଆଉ ଦେଖାଗଲେନାହିଁ। ନିଜକୁ ବଡ ବଡ ନେତା ବୋଲାଉଥିବା ଲୋକ ଆଉ ପଦାକୁ ବାହାରିପାରିନଥିଲେ। ନିଜର କେତେ ପତିଆରା ଜିଲ୍ଲାରେ ରହିଛି, ନିର୍ବାଚନରେ ସବୁ ଜଣାପଡିଥିଲା। ଏବେ ସଭାପତି ପଦବୀକୁ ନେଇ ପୁଣି ବିଜେଡିରେ ବିବାଦ ଘନେଉଛି। ନିର୍ବାଚନ ପୂର୍ବରୁ ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ଜିଲ୍ଲା ବିଜେଡିର ସଭାପତି ରୂପେ ଚୟନ କରାଯାଇଥିଲା। ତାଂକର ନେତୃତ୍ବରେ ଜିଲ୍ଲାରେ ବିଜେଡି ନିର୍ବାଚନରେ ଲଢେଇ କରିଥିଲା। ତେବେ ବିଜେଡିର ଶୋଚନୀୟ ପରାଜୟକୁ ଏବେ ସଭାପତି ମୁଣ୍ଡରେ ଓଠା ବୋଳାଯାଉଛି।

ତାଂକୁ ହଟାଇ କିପରି ନିଜେ ସଭାପତି ହେବେ ସେନେଇ କିଛି ନେତା ଏବେ ଜୋରସୋରରେ ନିଜର ପ୍ରଚାର ଆରମ୍ଭ କଲେଣି। ଏପରିକି ଆଗାମୀ ଦିନରେ ସେମାନେ ଜିଲ୍ଲାର ବିଜେଡି ସଭାପତି ହେବେ ବୋଲି ପ୍ରଚାର କରିସାରିଲେଣି। ପୁଣି କିଛି ନେତା ନିଜର ସମର୍ଥକମାନଙ୍କୁ ନିଜ ନାମରେ ସୁପାରିଶ କରିବା ପାଇଁ ରାଜ୍ୟ ସଭାପତିଙ୍କୁ ଚିଠି ଲେଖିବାକୁ ମଧ୍ୟ କହିଲେଣି। ଅନ୍ୟଦିଗରେ ବର୍ତ୍ତମାନର ଜିଲ୍ଲା ସଭାପତି ମାନସ ମାଡକାମୀଙ୍କୁ ଏନେଇ ପଚାରିବାରୁ ସେ ଏହାକୁ ହାସ୍ୟାସ୍ପଦ ବୋଲି କହିବା ସହ ରାଜ୍ୟ ବିଜେଡି ସଭାପତିଙ୍କ ଦ୍ବାରା ଏଭଳି କୌଣସି ନିର୍ଦେଶ କରାଯାଇ ନାହିଁ। ରାଜ୍ୟର କୌଣସି ଜିଲ୍ଲାରେ ପୁନଃ ଗଠନ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। 

କିନ୍ତୁ ଆମ ଜିଲ୍ଲାରେ ଜଣେ ଜଣେ ସଭାପତି ହେବେ ବୋଲି ଆଗରୁ ମନସ୍ଥ କରିସାରିଲେଣି। ଯାହା ତାଂକ ନିକଟରେ ମଧ୍ୟ ଖବର ରହିଥିବା ସେ କହିଥିଲେ। କିନ୍ତୁ ଆଗାମୀ ଦିନରେ ଯଦି ପୁନଃ କମିଟି ଗଠନ ହୁଏ ତେବେ ଯାହାକୁ ଦଳ ସଭାପତି ପଦବୀ ପାଇଁ ମନୋନୀତ କରିବ ସେ ହେବ ବୋଲି କହିଥିଲେ। ଆଜି ଆମ ଜିଲ୍ଲାର ସମସ୍ତ କର୍ମୀ ଓ ଜିଲ୍ଲା ପରିଷଦ ସଭ୍ୟ ଭୁବନେଶ୍ବର ଗସ୍ତ କରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଜିଲ୍ଲାର ସମସ୍ୟା ନେଇ ଆଲୋଚନା କରିବୁ ବୋଲି ଶ୍ରୀ ମାଡକାମୀ କହିଥିଲେ। ବିଜେଡିରେ ବିବାଦ ଲାଗି ରହିଥାଏ। ପଦକୁ ହେଉ ବା କାମ ବାଣ୍ଟିବାରେ ହେଉ ନେତାମାନେ ନିଜ ନିଜର ଗୋଷ୍ଠୀ କରି ପତିଆରା ଜମାଇବାକୁ ଚେଷ୍ଟା କରନ୍ତି। ଯାହା ଦଳ ପାଇଁ ବୁମେରାଂ ହୋଇଥାଏ।