ଧାର୍ଯ୍ୟ ସମୟରେ ଗୃହମନ୍ତ୍ରାଳୟରେ ପହଞ୍ଚିପାରିଲେ ନାହିଁ ବିବାଦୀୟ ଆଇପିଏସ ଅଫିସର ରାଜୀବ କୁମାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତଥା ବିବାଦୀୟ ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଆଜି ସକାଳ ୧୦ଟା ସୁଦ୍ଧା ଗୃହମନ୍ତ୍ରାଳୟରେ ରିପୋର୍ଟ କରିବାକୁ ନିର୍ବାଚନ ଆୟୋଗ ଗତ କାଲି କଡ଼ା ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ନିର୍ଦ୍ଦେଶକୁ ପାଳନ କରିବାରେ ବିଫଳ ହୋଇଛନ୍ତି କୁମାର । ସେ ଦିନ ୧୦ଟା ବଦଳରେ ଦିନ ୧୨ଟା ୩୦ ମିନିଟରେ ଗୃହମନ୍ତ୍ରଳାୟରେ ପହଞ୍ଚିଥିଲେ । ତାଙ୍କୁ ପଶ୍ଚିମବଙ୍ଗର ଏଡିଜି (ସିଆଇଡି) ପଦରୁ ଗତ କାଲି ହଟାଇ ଦିଆଯାଇଥିଲା । ତାଙ୍କ ବିରୋଧରେ ଏବେ ସିବିଆଇ ତଦନ୍ତ ଚାଲିଛି ।

ପଶ୍ଚିମ ବଙ୍ଗରେ ପ୍ରବଳ ହିଂସା ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ଆଜି ରାତି ୧୦ଟା ପରେ ନିର୍ବାଚନ ପ୍ରଚାରକୁ ବନ୍ଦ କରିଦେଇଛନ୍ତି । ଅର୍ଥାତ ରାତି ୧୦ଟା ପରେ କୌଣସି ରାଜନୈତିକ ଦଳ ଭୋଟ ପ୍ରଚାର କରିପାରିବେ ନାହିଁ । ରାଜ୍ୟରେ ଆସନ୍ତା ରବିବାର ଦିନ ୯ଟି ଆସନରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ରାଜ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ଧାରା ୩୨୪ ଲଗାଇଛନ୍ତି । ଏହା ଫଳରେ ରାଜ୍ୟର ନିର୍ବାଚନ ହେବାକୁ ଥିବା ୯ଟି ଆସନରେ ଜନସମାବେଶକୁ ନିଷିଦ୍ଧ କରାଯାଇଛି । ଆହୁରି ମଧ୍ୟ ରାଜ୍ୟର ଗୃହ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନିଜ ପଦରୁ ହଟାଇଦିଆଯାଇଛି । ସେମାନଙ୍କୁ ଛୁଟିରେ ଯିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର