ଜଗତସିଂହପୁର: ଛେଳି ଗଛ ଖାଇ ଦେବାରୁ ପିଟିପିଟି ମାରିଦେଲେ | ମାନବିକତାର ସବୁ ସୀମା ଟପିଗଲା ମଣିଷ | ବାଲିକୁଦା ସଂଗ୍ରାମପୁର କାଳନ୍ଦୀ ଭୋଇ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ | ଏହି ଘଟଣାରେ ଅଟକ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ବାଲିକୁଦା ଥାନା ପୁଲିସ | ସେମାନେ ହେଲେ ରାଜକିଶୋର ମହାନ୍ତି ଓ ନିରାକାର ମହାନ୍ତି | ଆଜି ଦୁଇଜଣଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଏସଡିପିଓ ଆଦିଙ୍କ୍ୟା ମାଣେ ସୂଚନା ଦେଇ କହିଛନ୍ତି | ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ତଳେ ପଡ଼ୋଶୀ ମହିଳାଙ୍କର ଛେଳି କାଳନ୍ଦୀଙ୍କ ବାଡ଼ିରେ ପଶି ଗୁଆ ଗଛ ଖାଇ ଦେଇଥିଲା | ଏହାକୁ ନେଇ କାଳନ୍ଦୀ ଗାଳିଗୁଲଜ କରିଥିଲା। ପରେ ଅନ୍ୟ ଦୁଇଜଣ ପଡୋଶୀ କାଳନ୍ଦୀଙ୍କୁ ମାଡ଼ ମାରିବା ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲା | 

Advertisment

ପରେ ଗତ ୧୨ ତାରିଖରେ କାଳନ୍ଦୀ ପୁନଶ୍ଚ ଗାଳି ଗୁଲଜ କରିବାରୁ ପଡୋଶୀ ରାଜ କିଶୋର ମହାନ୍ତି ଓ ନିରାକାର ମହାନ୍ତି କାଳନ୍ଦୀ ଭୋଇକୁ ହତ୍ୟା କରିଥିବା ମୃତକଙ୍କ ଝିଅ ଅଭିଯୋଗ କରିଥିଲେ | ଏପରିକି ଆଖି ସାମ୍ନାରେ ଅଭିଯୁକ୍ତମାନେ କାଳନ୍ଦୀଙ୍କୁ କଚାଡ଼ି ଦେଇଥିଲେ ବୋଲି ଝିଅ ଅଭିଯୋଗ କରିଥିଲେ। ଯାହାଫଳରେ କାଳନ୍ଦୀଙ୍କର ମୃତ୍ୟୁ ହୋଇଥିଲା | ଅଭିଯୋଗ ପାଇବା ପରେ ପୁଲିସ ରାଜକିଶୋର ଓ ନିରାକାରକୁ ଅଟକ ରଖି ଜେରା କରିଥିଲା | କିନ୍ତୁ ଦୁଇ ଜଣ କିଛି ବି କହି ନଥିଲେ | ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଥିଲା |

ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ହତ୍ଯାକାଣ୍ଡ ବୋଲି ଜଣା ପଡିଥିବା ଏସଡିପିଓ ଆଜିଙ୍କ୍ଯା ମାଣେ ସୂଚନା ଦେଇଛନ୍ତି। କାଳନ୍ଦୀଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇ କଲିଜାରେ ପଶି ଯିବାରୁ ରକ୍ତସ୍ରାବ ହୋଇଥିଲା। ଶରୀରରେ ଆଭ୍ଯନ୍ତରୀଣ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହେବାରୁ କାଳନ୍ଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ଗିରଫ ଦୁଇ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି | ତେବେ ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି କରିଛନ୍ତି ପତ୍ନୀ ଓ ସମ୍ପର୍କୀୟ। ସୂଚନାଯୋଗ୍ୟ, ବୁଧବାର ରାତିରେ କାଳନ୍ଦୀଙ୍କୁ ହତ୍ଯା କରାଯାଇଥିଲା।