ନୂଆଦିଲ୍ଲୀ: ମୋବାଇଲରେ କଥା ହୋଇଯାଉଥିବା ବେଳେ ଦୁର୍ଘଟଣାର ଅନେକ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏମିତି ଏକ ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବାଳକ ସାଇକେଲ ଚଲାଉଥିବା ସମୟରେ ମୋବାଇଲ ଦେଖି ଯାଉଥିଲା। ଏତିକି ବେଳେ ସେ ସାମ୍ନାରେ ଥିବା ଏକ ଗାଡ଼ି ସହିତ ଧକ୍କା ଖାଇଥିଲା। ଆଉ ସାଇକେଲରୁ ଖସିି ଉକ୍ତ ଗାଡ଼ି ସହିତ ପିଟି ହୋଇଯାଇଥିଲା। ଘଟଣାର ଭିଡିଓକୁ ବାସ୍କେଟବଲ ଖେଳାଳି ରେକ୍ସ ଚ୍ୟାପମ୍ୟାନ ସେୟାର କରିଛନ୍ତି।
ସିସିଟିଭି ଭିଡିଓରେ ଦେଖିବାକୁ ମିଳୁଛି କି, ବାଳକ ଜଣକ ସାଇକେଲ ଚଲାଇ ଯାଉଥିବା ବେଳେ ମୋବାଇଲ ଦେଖି ଦେଖି ଯାଉଛି । ଏତିକି ବେଳେ ସାମ୍ନାରେ ଏକ ଗାଡ଼ି ଛିଡ଼ା ହୋଇଥିବା ସେ ଦେଖି ପାରି ନଥିଲା। ଫଳରେ ସିଧାସଳଖ ଯାଇ ଉକ୍ତ ଗାଡ଼ିର ପଛପଟେ ପିଟି ହୋଇଯାଇଥିଲା।
ସୌଭାଗ୍ୟବଶତଃ ସେ ଦ୍ରୁତ ଗତିରେ ଯାଉ ନଥିଲା। ଯଦି ଦ୍ରୁତଗତିରେ ସାଇକେଲ ଚଲାଇ ଯାଉ ଥାଆନ୍ତା ତେବେ ନିଶ୍ଚୟ ସେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥାଆନ୍ତା।
ରେକ୍ସ ଚ୍ୟାପମ୍ୟାନ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଗାଡ଼ିରେ ଯାଉଥିବା ସମୟରେ ମୋବାଇଲର ବ୍ୟବହାର କରନ୍ତୁ ନାହିଁ।’
ଏହି ଭିଡିଓକୁ ଏପ୍ରିଲ ୭ ତାରିଖରେ ସେୟାର କରାଯାଇଛି। ଯାହାକୁ ଏ ଯାବତ ୧୦ଲକ୍ଷ ଲୋକ ଦେଖି ସାରିଲେଣି। ଭିଡିଓ ଦେଖିବା ପରେ ୨୬ହଜାର ଲାଇକ ଆସିଥିବା ବେଳେ ହଜାରରୁ ଅଧିକ ପ୍ରତିକ୍ରିୟା ଆସିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଥିବା ସମୟ ଅନୁସାରେ ଏହି ଘଟଣାଟି ୪ ଏପ୍ରିଲରେ ଘଟିଛି।
Follow Us