ନୂଆଦିଲ୍ଲୀ: ଜାତୀୟ ରାଜପଥ-୨ ଖୋଲିବା ନେଇ ହେଲା ସହମତି | ଆଜି କେନ୍ଦ୍ର ଏବଂ ମଣିପୁର ସରକାର କୁକି-ଜୋ କାଉନ୍ସିଲ ବା କେଜେଡସି ସହିତ ଏକ ନୂତନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି, ଯାହା ଅନୁଯାୟୀ ଜାତୀୟ ରାଜପଥ-୨ ଖୋଲିବାକୁ ସହମତ ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧିକାରୀ ଏବଂ କେଜେଡ଼ସିର ଏକ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହାପରେ ଦୁଇ ପକ୍ଷ ମଣିପୁରରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ଆଣିବା ପାଇଁ ଆଲୋଚନା ମାଧ୍ୟମରେ ସମାଧାନର ଆବଶ୍ୟକତା ଉପରେ ମଧ୍ୟ ସହମତ ହୋଇଥିଲେ। ଗୃହ ମନ୍ତ୍ରଣାଳୟ କହିଛି ଯେ କୁକି ପରିଷଦ ରାଜ୍ୟ ପାଇଁ ଜୀବନରେଖା ଭାବରେ ବିବେଚିତ ଏନଏଚ-୨ ରେ ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ସୁରକ୍ଷା ବାହିନୀ ସହିତ ସହଯୋଗର ପ୍ରତିଶ୍ରୁତି ଦେଇଛି। ଜାତୀୟ ରାଜପଥ-୨, ମଣିପୁରକୁ ନାଗାଲାଣ୍ଡ ଏବଂ ଉତ୍ତର-ପୂର୍ବର ଅନ୍ୟାନ୍ୟ ରାଜ୍ୟ ସହିତ ସଂଯୋଗ କରୁଥିବାବେଳେ, ଜାତିଗତ ଉତ୍ତେଜନା ଯୋଗୁଁ ମେ ୨୦୨୩ ରୁ ବନ୍ଦ ଥିଲା।
ଜାତୀୟ ରାଜପଥ ପୁନଃ ଖୋଲିବା ଦ୍ୱାରା ହିଂସା ପ୍ରଭାବିତ ମଣିପୁରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହଜରେ ପହଂଚିପାରିବ ଯାହାଦ୍ୱାରା ବିସ୍ଥାପିତ ପରିବାର ଏବଂ ରିଲିଫ୍ ଶିବିରରେ ରହୁଥିବା ନାଗରିକଙ୍କୁ ସହାୟକ ହେବ | ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ, ମଣିପୁର ସରକାର, କୁକି ନ୍ୟାସନାଲ ଅର୍ଗାନାଇଜେସନ (କେଏନଓ) ଏବଂ ୟୁନାଇଟେଡ ପିପୁଲ୍ସ ଫ୍ରଣ୍ଟ (ୟୁପିଏଫ) ପ୍ରତିନିଧିମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ, ତିନି ଦଳ ମଣିପୁରରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ଆଣିବା ପାଇଁ ଆଲୋଚନା ମାଧ୍ୟମରେ ସମାଧାନର ଆବଶ୍ୟକତା ଉପରେ ମଧ୍ୟ ସହମତ ହୋଇଥିଲେ। ଗୃହ ମନ୍ତ୍ରଣାଳୟ କହିଛି, "ଏହି ବୈଠକରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ, ନୂତନ ଆଲୋଚନା ଅନୁଯାୟୀ ନିୟମ ଏବଂ ସର୍ତ୍ତାବଳୀକୁ ଗୋଟିଏ ବର୍ଷ ପାଇଁ ପ୍ରଭାବଶାଳୀ ବୋଲି ବିବେଚନା କରାଯିବ।"