ନୂଆଦିଲ୍ଲୀ : ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବାକୁ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୨୭ ବଦଳରେ ଫେବ୍ରୁଆରି ୨୮ରେ ହେବ । ସେହିପରି ୨ୟ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୫ରେ ହେବ । ଏ ସଂପର୍କରେ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଲଜିଷ୍ଟିକ୍ସ ସମସ୍ୟା ଆଦିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ଏହା ପୂର୍ବରୁ ପଂଜାବରେ ହେବାକୁ ଥିବା ଭୋଟ ଗ୍ରହଣ ତାରିଖକୁ ବଦଳାଯାଇଥିଲା । ପୂର୍ବରୁ ଏହା ଫେବ୍ରୁଆରି ୧୪ରେ ହେବାକୁ ଥିବାବେଳେ ତାହାକୁ ଫେବ୍ରୁଆରି ୨୦କୁ ଘୁଞ୍ଚାଇ ଦିଆଯାଇଥିଲା । ରାଜ୍ୟ ସରକାର ଓ ବିଭିନ୍ନ ରାଜନୈତିକ ଦଳର ଦାବି ମୁତାବକ ଏହି ନିଷ୍ପତ୍ତି ନେଇଥିଲେ ଆୟୋଗ ।
ଦେଶର ୫ଟି ରାଜ୍ୟରେ ମୋଟ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର । କେବଳ ଉତ୍ତରପ୍ରଦେଶକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟରେ ଗୋଟିଏ କିମ୍ବା ୨ଟି ପର୍ଯ୍ୟାୟର ଭୋଟ ଗ୍ରହଣ ହେବ । ଏସବୁ ନିର୍ବାଚନର ଫଳାଫଳ ମାର୍ଚ୍ଚ ୧୦ରେ ଘୋଷଣା ହେବ ।