ସଂସଦର ମୌସୁମୀ ଅଧିବେଶନ: ବିରୋଧୀଙ୍କ ହଙ୍ଗାମା ହେତୁ ୨ଟା ଯାଏ ଗୃହ ମୁଲତବୀ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ନିୟମ ଅନୁସାରେ ଲୋକସଭାରେ ନବନିର୍ବାଚିତ ସଦସ୍ୟମାନେ ଶପଥ ନେଇଛନ୍ତି। ଶପଥ ପାଠ କରାଇଛନ୍ତି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା । ଏହାପରେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ନୂଆ ମନ୍ତ୍ରୀମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥର ମନ୍ତ୍ରିଣ୍ଡଳରେ ଅଧିକ ସଂଖ୍ୟାକ ମହିଳା, ଦଳିତ ଓ ଆଦିବାସୀଙ୍କୁ ସାମିଲ କରାଯାଇଥିବା ମୋଦୀ କହିଛନ୍ତି । ସେହିପରି କ୍ୟାବିନେଟରେ ଚାଷୀ, ପଛୁଆ ବର୍ଗ ଓ ଗ୍ରାମାଂଚଳ ପୃଷ୍ଟଭୂମି ଥିବା ନେତାଙ୍କୁ ସୁଯୋଗ ମିଳିଛି।

ତେବେ ପ୍ରଧାନମନ୍ତ୍ରୀ ଗୃହରେ ନୂଆ ମନ୍ତ୍ରୀମାନଙ୍କ ପରିଚୟ ଦେଉଥିବା ବେଳେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ। ଏଥର ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ଏକାଧିକ ପ୍ରସଙ୍ଗ। ପେଗାସସର ଗୁଇନ୍ଦାଗିରିଠାରୁ ଆରମ୍ଭ କରି କରୋନା ପରିଚାଳନା, ଦରଦାମ୍ ବୃଦ୍ଧି ଓ ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ବନାଇଛନ୍ତି ବିରୋଧୀ । ତେବେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଙ୍ଗାମା ଫଳରେ ଗୃହକୁ ଅପରାହ୍ନ ୨ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର