ଧାନ ସଂଗ୍ରହ ଅନୁମତି ପାଇଁ ଅନେକ ନିୟମ: ଯଦି ପାଳନ ହେଉଛି, ଚାଷୀଙ୍କ ଦୁର୍ଦ୍ଦଶା କମୁନି କାହିଁକି?

୪୬ ରାଇଲ ମିଲ୍‌କୁ ଏଫ୍‌ସିଆଇର କ୍ଲିନ୍‌ଚିଟ୍, ସ୍ଥାଣୁ ପାଲଟିଛି ରାଜ୍ୟ ସରକାରଙ୍କ ପ୍ରବର୍ତ୍ତନ ସ୍କ୍ବାଡ୍‌

ଭୁବନେଶ୍ବର : ମୁଣ୍ଡ ଉପରେ ଧାନ ସଂଗ୍ରହ ପ୍ରକ୍ରିୟା। ଏହା ପୂର୍ବରୁ ଗୋଟିଏ ମାସରେ ୪୬ ରାଇସ୍‌ ମିଲ୍‌କୁ ଯାଞ୍ଚ କରି କ୍ଲିନ୍‌ଚିଟ୍ ଦେଇଛି ଏଫ୍‌ସିଆଇ। ଏଣେ ଜିଲ୍ଲାସ୍ତରୀୟ ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ରାଇସ୍‌ ମିଲ୍ ଯାଞ୍ଚ କରାଯାଇ କୌଣସି ଅସୁବିଧା ନଥିବା ଦର୍ଶାଯାଇଛି। ନିର୍ଦିଷ୍ଟ କୌଣସି ମିଲ୍‌ ବିରୋଧରେ ଅଭିଯୋଗ ନଥିବାରୁ ଯୋଗାଣ ବିଭାଗର ପ୍ରବର୍ତ୍ତନ ସ୍କ୍ବାଡ୍‌ କିଛି ମାସ ମଧ୍ୟରେ କୌଣସି ମିଲ୍‌ ଯାଞ୍ଚ କରିନଥିବା ଦର୍ଶାଇଛି। କେବଳ ଚଳିତ ବର୍ଷ ନୁହେଁ, ଅଧିକାଂଶ ବର୍ଷ ମିଲ୍‌ ଯାଞ୍ଚ ନେଇ ଏଭଳି ରିପୋର୍ଟ ଆସେ।

ଯଦି ସବୁଠିକ୍ ଠାକ୍ ଚାଲିଛି, ତେବେ ପ୍ରତିବର୍ଷ ମଣ୍ଡିରେ ଧାନ ଉଠାଣ ଠାରୁ ଚାଉଳ ଜମା ପର୍ଯ୍ୟନ୍ତ କାହିଁକି ସମସ୍ୟା ସୃଷ୍ଟି ହେଉଛି? ବାସ୍ତବିକତା ହେଲା, ଧାନ ଉଠାଣ ନେଇ ମିଲ ମାଲିକମାନେ ଏଭଳି ସମସ୍ୟା ସୃଷ୍ଟି କରନ୍ତି ଯେ ଦିନ ଦିନ ଧରି ଚାଷୀଙ୍କ ଧାନ ମଣ୍ଡିରେ ପଡ଼ି ରହେ। ନଚେତ ନିଜେ ଚାଷୀ ମିଲ୍‌କୁ ଧାନ ନେବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ମଣ୍ଡିରୁ ମିଲ୍‌କୁ ଧାନ ପରିବହନ ବାବଦରେ ମିଲ୍‌ ମାଲିକ ସରକାରଙ୍କଠାରୁ ଟଙ୍କା ମଧ୍ୟ ନିଅନ୍ତି।

ସୂଚନାନୁଯାୟୀ, ରାଜ୍ୟରେ ପ୍ରାୟ ୧୪୦୦ରୁ ୧୫୦୦ ଚାଉଳ ମିଲ୍‌ ଅଛନ୍ତି। ଗତବର୍ଷ ୧୩୫୦ ମିଲର୍‌ଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଟ୍ୟାଗ୍‌ କରାଯାଇଥିଲା। ଧାନ ସଂଗ୍ରହରେ ମିଲରଙ୍କ ଅଂଶଗ୍ରହଣ ନେଇ ରାଜ୍ୟ ଯୋଗାଣ ନିଗମର ଯେଉଁ ନିର୍ଦ୍ଦେଶ ରହିଛି ସେଗୁଡ଼ିକ ହେଲା, ମଣ୍ଡିରୁ ଧାନ ନେବାର ୭ ଦିନ ମଧ୍ୟରେ ମିଲ ମାଲିକମାନେ ଚାଉଳ ଜମା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଉଚିତ। ପ୍ରତ୍ୟେକ ନୂଆ ରାଇସ ମିଲ ଦୈନିକ ୧୦ ହଜାର କ୍ବିଣ୍ଟାଲ ଧାନ ନ ଉଠାଇବାର କ୍ଷମତା ନଥିଲେ, ତାଙ୍କୁ ଧାନ ସଂଗ୍ରହରେ ଅନୁମତି ମିଳେନାହିଁ। ଶତ ପ୍ରତିଶତ ଚାଉଳ ଜମା କରିଥିବା ଏବଂ ମିଲ୍‌ର ଉପଯୁକ୍ତ ଭିତ୍ତିଭୂମି ଯାଞ୍ଚ ପରେ ହିଁ ସେହି ଅନୁଯାୟୀ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହୁଏ। ନିର୍ଦିଷ୍ଟ ସମୟ ସୀମା ବାହାରେ କୌଣସି ମିଲ୍‌ରେ ଅଣ ମିଲିଂ ହୋଇ ଧାନ ରହିପାରିବ ନାହିଁ। ଏଭଳି ହେଲେ ମିଲ୍‌ଗୁଡ଼ିକୁ ଅଯୋଗ୍ୟ ଘୋଷଣା କରି ଚୁକ୍ତିନାମାରୁ ବାହାର କରି ଦିଆଯାଏ। ଯୋଗ୍ୟ ମିଲର୍‌ଙ୍କୁ ହିଁ ନିଜ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ଧାନ ସଂଗ୍ରହର ଅନୁମତି ରହିଥାଏ। ଏଥିପାଇଁ ସେମାନଙ୍କୁ ଅଧିକ ଅଗ୍ରୀମ ଦେବାକୁ ପଡ଼େ।

ଜଗତସିଂହପୁର, କଟକ ଜିଲ୍ଲାରେ ଅଂଶଗ୍ରହଣ କରୁଥିବା ବାହାର ମିଲର୍‌ଙ୍କୁ ଅଗ୍ରୀମ ଜମା ରାଶି ଅଧିକ ଥାଏ। ପ୍ରତ୍ୟେକ ମିଲଗୁଡ଼ିକ କେବଳ ନିଜ ଜିଲ୍ଲାରେ ହିଁ ଧାନ ନେବେ। କିନ୍ତୁ ଯେଉଁ ଜିଲ୍ଲାରେ ଉତ୍ପାଦନ ଧାନ ଅନୁଯାୟୀ ମିଲ ନଥାଏ, ପଡ଼ୋଶୀ ଜିଲ୍ଲାରୁ ମିଲ୍‌ ଆସିବେ। କିନ୍ତୁ କୌଣସି ମିଲ୍‌ ଦୁଇରୁ ଅଧିକ ଜିଲ୍ଲାରେ ଧାନ ସଂଗ୍ରହ କରିବେ ନାହିଁ। ଯେଉଁ ଜିଲ୍ଲାରେ ଯେଉଁ ଚାଉଳ ଅର୍ଥାତ ଅରୁଆ କିମ୍ବା ଉଷୁନାର ବ୍ୟବହାର ଅଧିକ ଥିବ, ସେହି ଜିଲ୍ଲାରେ ସେହି ଚାଉଳ ଅଧିକ ସଂଗ୍ରହ ହେବ। ଚୁକ୍ତିନାମା ଖିଲାପକାରୀଙ୍କ ଅଗ୍ରୀମ ଟଙ୍କା ଜବତ ହେବାର ମଧ୍ୟ ବ୍ୟବସ୍ଥା ରହିଛି। ଆହୁରି ମଧ୍ୟ ମିଲ୍‌ର ଗୋଦାମ, ଧାନ ସଂଗ୍ରହ ପରେ ସଂଗୃହୀତ ଧାନଠାରୁ ଅଧିକ କିମ୍ବା କମ୍‌ ମିଲ୍‌ରେ ଯେଉଁଭଳି ନଥିବ, ତା’ର ଯାଞ୍ଚ ମଧ୍ୟ ଯୋଗାଣ ବିଭାଗ ଏବଂ ପ୍ରବର୍ତ୍ତନ ସ୍କ୍ବାଡ୍‌ ପକ୍ଷରୁ କରାଯିବାର ନିର୍ଦେଶ ରହିଛି। ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଟଙ୍କା ଖର୍ଚ୍ଚ ହୁଏ। ଏଥିପାଇଁ ଧାନ ଧରି ଚାଷୀ ମଣ୍ଡିକୁ ଆସିବା ଠାରୁ ମିଲ୍‌କୁ ଧାନ ଯିବା ପର୍ଯ୍ୟନ୍ତ ପ୍ରତ୍ୟେକ ବିନ୍ଦୁରେ ସରକାର ଖର୍ଚ୍ଚ କରନ୍ତି। କିନ୍ତୁ ଚାଷୀଙ୍କ ସବ୍‌ସିଡି ମିଲ୍‌ ମାଲିକ ହଡ଼ପ କରିନେଉଥିବା ଅଭିଯୋଗ ଉଠୁଛି।

ଚାଷୀମାନଙ୍କ କହିବା କଥା ହେଉଛି, ଏତେ ସବୁ କଥା ବ୍ୟବସ୍ଥାରେ ଥିବା ବେଳେ ସେମାନେ ଧାନ କିଣାବେଳେ ହନ୍ତସନ୍ତ ହେଉଛନ୍ତି। ଯଦି ମୂଳରୁ ଚୂଳ ଯାଏ ସବୁ ଠିକ୍ ଚାଲିଛି, ତେବେ ଧାନ କିଣା ପ୍ରକ୍ରିୟାରେ ଆଦୌ ସମସ୍ୟା ହେବା କଥା ନୁହେଁ। କିନ୍ତୁ ପ୍ରତିବର୍ଷର ମଣ୍ଡି ବଖାଣୁଛି ଓଡ଼ିଶାରେ ଧାନ କିଣା ପ୍ରକ୍ରିୟା କିଭଳି ଚାଲିଛି। ଏଥିରୁ ହିଁ ଜଣାପଡ଼ିଯାଉଛି ଯେ ଏହି କ୍ଲିନ୍‌ଚିଟ୍ ପଛରେ ରହସ୍ୟ କ’ଣ?

ସମ୍ବନ୍ଧିତ ଖବର