ଗ୍ରୀନ ହାଉସ୍ ଗ୍ୟାସ ଯୋଗୁଁ ନିଶ୍ଚିହ୍ନ ହେବ ସାମୁଦ୍ରିକ ଜୀବଜଗତ

ଭୁବନେଶ୍ବର : ଗ୍ରୀନ ହାଉସ୍ ଗ୍ୟାସ ବା ସବୁଜ ଘର ବାଷ୍ପ ପ୍ରଭାବରୁ ଲୋପ ପାଇଯିବ ସମୁଦ୍ର ତଳେ ଥିବା ଜୀବଜଗତ । ବଢିଚାଲିଥିବା ଗ୍ରୀନ ହାଉସ୍ ଗ୍ୟାସ ନିର୍ଗମନକୁ ଏବେଠାରୁ ନିୟନ୍ତ୍ରଣ ନ କଲେ ଆସନ୍ତା ୨୩୦୦ ମସିହା ସୁଦ୍ଧା ବିଶ୍ବର ଅନେକ ପ୍ରକାରର ଜୀବ ପ୍ରଜାତି ଲୋପ ପାଇଯିବେ ।

ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଗ୍ରୀନ ହାଉସ ଗ୍ୟାସକୁ ନିୟନ୍ତ୍ରଣ ନ କଲେ ବିଶ୍ବର ତାପମାତ୍ରା ବୃଦ୍ଧି ପାଇବ । ସମୁଦ୍ରର ତାପମାତ୍ରା ବି ବୃଦ୍ଧି ପାଇବାକୁ ଥିବାରୁ ସମୁଦ୍ରରେ ଅମ୍ଳଜାନ ମାତ୍ର ହ୍ରାସ ପାଇବ ଓ ତାହା ସାମୁଦ୍ରିକ ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିବ ।

ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ, ପୃଥିବୀ ଯେତିକି ଗରମ ହେବ ସେତେ ଅଧିକ ସଂଖ୍ୟକ ଜୀବ ପ୍ରଜାତି ଉପରେ ବିଲୁପ୍ତିର ଭୟ ରହିବ । ପ୍ରାୟ ୨୫୨ ନିୟୁତ ବର୍ଷ ପୂର୍ବେ ସଂଘଟିତ ‘ମହାମୃତ୍ୟୁ’କୁ ଭିତ୍ତିକରି ପ୍ରସ୍ତୁତ କରାଯାଇଥିବା ଏକ ମଡେଲ ଅନୁସାରେ ୨୩୦୦ ମସିହା ସୁଦ୍ଧା ବିଶ୍ବର ସାମୁଦ୍ରିକ ଜୀବଜଗତ ସଂପୂର୍ଣ୍ଣ ଲୋପପାଇଯିବ । ମହାମୃତ୍ୟୁ ସମୟ ବିଶ୍ବର ଦୁଇ-ତୃତୀୟାଂଶ ସାମୁଦ୍ରିକ ଜୀବପ୍ରଜାତି ସଂପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲେ ।

ଏହି ମଡେଲରୁ ଜଣାପଡ଼ିଛି ଯେ ତାପମାତ୍ରା ଯେତିକି ବଢିବ ଜୀବ ପ୍ରଜାତିଗୁଡ଼ିକ ଲୋପପାଇବା ଆରମ୍ଭ କରିବେ । ଜୀବମାନେ ଉଚ୍ଚ ଅକ୍ଷାଂଶକୁ ଯିବା ଆରମ୍ଭ କରିବେ । ପ୍ରଥମେ ମେରୁ ଅଂଚଳର ଜୀବଜଗତ ଲୋପ ପାଇବେ । କାରଣ ତାଙ୍କର ବାସସ୍ଥାନ ଲୋପ ପାଇଯାଇଥିବ ।

୨୦୧୫ରେ ପ୍ୟାରିସ ରାଜିନାମାକୁ ପାଳନ କରି ଯଦି ସବୁ ଦେଶ ତାପମାତ୍ରାକୁ ୨ ଡିଗ୍ରି ମଧ୍ୟରେ ସୀମିତ ରଖିବେ ତେବେ କେତେକ ପ୍ରଜାତିକୁ ବଞ୍ଚାଇ ହେବ ।

 

ସମ୍ବନ୍ଧିତ ଖବର