ମାଟ୍ରିକ ପରୀକ୍ଷା ଖାତା ଦେଖା ବନ୍ଦ କଲେ ସରକାର, ପରେ ଘୋଷଣା ହେବ ନୂଆ ତାରିଖ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ଆଜି ମାଟ୍ରିକ ପରୀକ୍ଷା ଖାତା ଦେଖାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ରଖିଛନ୍ତି। ଆଜି ଗୀତଗୋବିନ୍ଦ ସଦନରେ କରୋନା ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି। ପ୍ରଶ୍ନପତ୍ର  ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ସାମାଜିକ ଦୂରତ୍ବ ରଖାଯିବା ସମ୍ଭବ ନ ହୋଇପାରେ ବୋଲି ଜଣାପଡ଼ିବା ପରେ ରାଜ୍ୟ ସରକାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ଖାତା ଦେଖା ଉପରେ ରୋକ ଲଗାଇଛନ୍ତି। କରୋନା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଜାରି ହେବା ପରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖା ଦେଇଥିଲା। ତେବେ ଗୋଟିଏ ଦିନ ପରେ ରାଜ୍ୟ ସରକାର ମାଟ୍ରିକ ଖାତାଦେଖା ବନ୍ଦ କରିବା ପରେ ପରୀକ୍ଷକଙ୍କ ଭିତରେ ଆଶ୍ବସନା ଦେଖାଦେଇଛି।

କରୋନା ପାଇଁ ଖାତା ମୂଲ୍ୟାୟନ ଯେପରି ପ୍ରଭାବିତ ନ ହୁଏ ସେଥି ପାଇଁ  ମାଧ୍ୟମିକ ଶିକ୍ଷା ପରିଷଦ( ବୋର୍ଡ) ପକ୍ଷରୁ ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲା।  ମୂଲ୍ୟାୟନ କେନ୍ଦ୍ରରେ ରହିଥିବା ସମସ୍ତ ଆସବାବପତ୍ରକୁ ସାନିଟାଇଜ୍ କରାଯାଇଥିଲା । ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକମାନଙ୍କ ପାଇଁ ସାବୁନ୍, ହ୍ୟାଣ୍ଡ୍‌ୱାସ୍ ଆଦି ଯୋଗାଇ‌ ଦିଆଯିବା ସହିତ ଶିକ୍ଷକମାନେ ଯେପରି ନିଜ ନିଜ ମଧ୍ୟ୍ୟରେ ଯଥେଷ୍ଟ ବ୍ୟବଧାନ ରଖି ବସିବେ, ସେଥି ଭଳି ବନ୍ଦୋବସ୍ତ ହୋଇଥିଲା । ଏହା ସହ ମୂଲ୍ୟାୟନ ପାଇଁ ସମସ୍ତ ଶିକ୍ଷକଙ୍କୁ ଏକକାଳୀନ ନ ଡାକି ଭିନ୍ନ ଭିନ୍ନ ସମୟରେ ଡକାଯାଇଥିଲା । ସେହିପରି ସେମାନେ ଏକକାଳୀନ ମୂଲ୍ୟାୟନ କେନ୍ଦ୍ର ପରିତ୍ୟାଗ ନ କରି ଅଲଗା ଅଲଗା ସମୟରେ ଛାଡିବାର ବ୍ୟବସ୍ଥା ହୋଇଥିଲା। କରୋନା ପାଇଁ ଜାରି ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଗାଇଡ୍‌ଲାଇନ୍‌କୁ ମୂଲ୍ୟାୟନ କେନ୍ଦ୍ରରେ ଅନୁସରଣ କରାଯାଇଥିଲେ ହେଁ ସରକାର ମୂଲ୍ୟାୟନକୁ ଆଜି ବାତିଲ୍ କରିଦେଇଛନ୍ତି।

ସମ୍ବନ୍ଧିତ ଖବର