ଗୁଏନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ଜଟାଉନ୍ ସ୍ଥିତ ଷ୍ଟେଟ୍ ହାଉସ୍ରେ ଗୁଏନାର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ୍ ଅଲିଙ୍କୁ ସାକ୍ଷାତ କରିଥିଲେ । ଷ୍ଟେଟ୍ ହାଉସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଅଲି ତାଙ୍କୁ ସ୍ୱାଗତ କରିଥିଲେ ଏବଂ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଏକ ସୀମିତ ବୈଠକ ପରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା । ଭାରତ ଏବଂ ଗୁୟାନା ମଧ୍ୟରେ ଥିବା ଗଭୀର ଐତିହାସିକ ସମ୍ପର୍କକୁ ସୂଚାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ । ଦୁଇ ନେତା ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ ଏବଂ ଫାର୍ମା, ପାରମ୍ପରିକ ଔଷଧ, ଖାଦ୍ୟ ନିରାପତ୍ତା, ଭିତ୍ତିଭୂମି ବିକାଶ, ଡିଜିଟାଲ୍ ଜନସାଧାରଣ ଭିତ୍ତିଭୂମି, ଦକ୍ଷତା ବିକାଶ, ସଂସ୍କୃତି ଏବଂ ଲୋକ ସମ୍ପର୍କ ସମେତ ଭାରତ ଓ ଗୁୟାନା ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ ।
ଶକ୍ତି କ୍ଷେତ୍ରରେ ଚାଲିଥିବା ସହଯୋଗକୁ ଅନୁଧ୍ୟାନ କରି ଦୁଇ ନେତା ସୂଚାଇ ଦେଇଛନ୍ତି ଯେ, ହାଇଡ୍ରୋକାର୍ବନରେ ଭାଗିଦାରୀ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ଅପାର ସମ୍ଭାବନା ରହିଛି । ବିକାଶ ସହଯୋଗ ଭାରତ-ଗୁୟାନା ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ବ ଅଟେ । ଗୁୟାନାର ବିକାଶ ଆକାଂକ୍ଷା ପୂରଣ କରିବା ପାଇଁ ଭାରତ ନିରନ୍ତର ସମର୍ଥନ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଉଭୟ ନେତା ପାରସ୍ପରିକ ଆବଶ୍ୟକତାର ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦୁଇ ନେତା ଅଧିକ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ।
ଭାରତ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଅଲିଙ୍କୁ ଧନ୍ୟବାଦ ଜଣାଇଥିଲେ । ଗ୍ଲୋବାଲ୍ ଦକ୍ଷିଣ ଦେଶ ମଧ୍ୟରେ ଏକତାକୁ ଦୃଢ଼ କରିବା ପାଇଁ ଦୁଇ ନେତା ମିଳିତ ଭାବରେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ | ତେବେ ଏହି ଅବସରରେ ରାଷ୍ଟ୍ରପତି ମୋଦୀଙ୍କୁ କଇଁ ପତ୍ରରେ ଭୋଜନ ପରସିଦେଇଥିଲେ | ଯାହାକୁ ନେଇ ମୋଦୀ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ କଇଁ ପତ୍ରରେ ପରିବେଷିତ ଏହି ଖାଦ୍ୟ ଗୁଏନାର ଅପାର ସାଂସ୍କୃତିକ ମହତ୍ତ୍ୱ ରଖେ, ଯାହା ଆମର ଦୁଇ ଦେଶ ମଧ୍ୟରେ ଗଭୀର ଏବଂ ସ୍ଥାୟୀ ସଂଯୋଗକୁ ଆଲୋକିତ କରେ |