ଭୁବନେଶ୍ବର: ଆଉ ଲାଇନ୍‌ରେ ଠିଆ ହେବାକୁ ପଡ଼ିବ ନାହିଁ। ସିଧା ଡାକ୍ତରଙ୍କ ପାଖକୁ ଯାଇ ସମସ୍ୟା ଜଣାଇବ। ଏଥିପାଇଁ ଟଙ୍କା ଲାଗିବ। ଏଭଳି ଉପାୟରେ ରାଜଧାନୀର ହସ୍ପିଟାଲ୍‌ରେ ସକ୍ରିୟ ହୋଇଉଠିଥିବା ଦଲାଲ ନିଜକୁ ହସ୍ପିଟାଲ୍‌ କର୍ମଚାରୀ ବୋଲି ପରିଚୟ ଦେଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆଜି ଖଣ୍ଡଗିରି ଥାନା ପୁଲିସ ଏମ୍‌ସ ନିକଟରୁ ଏକ ଦଲାଲ୍‌ ରୢାକେଟ୍‌କୁ ଠାବ କରି ୫ ନକଲି କର୍ମଚାରୀଙ୍କୁ ଗିରଫ ପରେ ଘଟଣା ପଦାକୁ ଆସିଛି। ସେମାନେ ହେଲେ ଉଦୟଗିରିବିହାରର ପ୍ରଦୀପ୍ତ କୁମାର ଗୌଡ଼(୨୨), ଖଣ୍ଡଗିରିର ପ୍ରକାଶ ନାୟକ(୨୨), ମନୀଷ ପଟ୍ଟନାୟକ(୨୦), ଖଣ୍ଡଗିରି ଲେନ୍‌-୧୪ର ବିକ୍ରମ କେଶରୀ ମଲ୍ଲିକ(୨୯) ଓ  ପାତ୍ରପଡ଼ାର ସିଦ୍ଧେଶ୍ବର ବେହେରା ଓରଫ ଗୋବିନ୍ଦା(୨୧)। ପୁଲିସ ସେମାନଙ୍କ ନିକଟରୁ ଜାଲ୍‌ କାଗଜପତ୍ର, ପରିଚୟପତ୍ର, ଗେଷ୍ଟହାଉସ୍‌ ଭିଜିଟିଙ୍ଗ କାର୍ଡ, ମୋବାଇଲ୍‌ ଫୋନ୍‌ ଆଦି ଜବତ କରିଛି।

Advertisment

ରୋଗୀ ସାଜିଲା ପୁଲିସ 

କିଛିଦିନ ତଳେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ କେତେକ ଯୁବକ ଏମ୍‌ସରେ ଡେରା ପକାଇଛନ୍ତି। ରୋଗୀଙ୍କ ସମ୍ପର୍କୀୟଙ୍କୁ ଏମ୍‌ସ କର୍ମଚାରୀ କହି ଫସାଇ ଟଙ୍କାନେଇ ସେମାନଙ୍କ ପାଇଁ ଲାଇନ୍‌ରେ ଠିଆ ହୋଉଛନ୍ତି। ଯାହାକୁ ନେଇ ପୂର୍ବରୁ ଲାଇନ୍‌ରେ ରହୁଥିବା ଲୋକଙ୍କ ମଧ୍ୟ ଅସନ୍ତୋଷ ମଧ୍ୟ ଦେଖାଦେଉଛି। ବାରମ୍ବାର ଅଭିଯୋଗ ପରେ ପୁଲିସ ଯୁବକଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ଏମ୍‌ସର ସିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ଯୁବକମାନଙ୍କୁ ଠାବ କରିଥିଲା। ଚିହ୍ନଟ ପରେ ଯୋଜନା ମୁତାବକ ଶନିବାର ଭୋର ସମୟରେ ପୁଲିସର ୩ଟି ଟିମ୍‌ ସାଦା ପୋଷାକରେ ସେଠାରେ ଜଗି ରହିଥିଲେ। ଦୁଇଜଣ କର୍ମଚାରୀ ଯୁବକଙ୍କୁ ଭେଟି ହିନ୍ଦୀରେ କଥା ହୋଇଥିଲେ। ତାଙ୍କର ଟିକଟ କରାଇଦେବାକୁ କହିଥିଲେ। ଯୁବକମାନେ ଦୁଇଜଣ ପାଇଁ ୩ହଜାର ଟଙ୍କା ଦାବି କରିଥିଲେ। ମୂଲଚାଲ ପରେ ସେମାନେ ୨ହଜାର ଟଙ୍କାରେ ରାଜି ହୋଇଥିଲେ। ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ କର୍ମଚାରୀ ଘେରିଯାଇ ସେଠାରେ ସେମାନଙ୍କୁ କାବୁ କରିଥିଲେ। ଥାନାକୁ ‌ଆଣି ଜେରାବେଳେ ସବୁ ସତ ମାନିଥିଲେ। ଗତ ୫-୬ମାସ ହେବ ସେମାନେ ଏହି ବ୍ୟବସାୟ କରୁଥିବା କହିଥିଲେ। ପ୍ରତିଦିନ ୨୦ରୁ ଊର୍ଧ୍ବ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଲାଇନ୍‌ କରାଇଦେବା ନାଁରେ ଟଙ୍କା ନେଉଥିଲେ। ଜେରା ପରେ ପୁଲିସ ୫ଜଣଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଏହି ରୢାକେଟ୍‌ରେ ଆହୁରି ଅଧିକ ଯୁବକ ସାମିଲ୍‌ ଥିବା ପୁଲିସ ସନ୍ଦେହ କରିଛି। ସେମାନଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି। 

ଧାଡ଼ି ପାଇଁ ଏଜେଣ୍ଟ ନେଉଥିଲେ କମିସନ

ଦଲାଲ୍‌ ଗ୍ୟାଙ୍ଗ କିଛି ଯୁବକଙ୍କୁ ସାମିଲ୍‌ କରିଥିଲେ। ସେମାନ ହସ୍ପିଟାଲ୍‌ ପରିସରରେ ଡେରା ପକାଇ ରହିଥିଲେ। ପ୍ରତିଦିନ କିଭଳି ଧାଡ଼ିର ଆଗରେ ସ୍ଥାନ ରଖିବେ। ତାହା ପ୍ରମୁଖ କାମଥିଲା। ଏଥିପାଇଁ ସେମାନଙ୍କୁ ୨୦% କମିସନ ଦେଉଥିଲେ। ଦଲାଲ୍‌ ଯେଉଁ ରୋଗୀ ସମ୍ପର୍କୀୟଙ୍କୁ ତାଙ୍କ ନିକଟକୁ ଆଣୁଥିଲେ; ସେହି ସ୍ଥାନରେ ତାଙ୍କୁ ଠିଆ କରୁଥିଲେ। ପରେ ପୁଣି ଯାଇ ଧାଡ଼ିରେ ସ୍ଥାନ ସୃଷ୍ଟି କରୁଥିଲେ। ଏମିତି ପ୍ରତିଦିନ ୨୦ରୁ ଅଧିକ ରୋଗୀଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ।