ଗୁଡ଼ମାରିର ଔଷଧିୟ ଗୁଣ

ଗୁଡ଼ମାରି ଲଟା ମଧ୍ୟ, ଉତ୍ତର ଏବଂ ପୂର୍ବ ଭାରତରେ ବହୁମାତ୍ରାରେ ଦେଖିବାକୁ ମିଳିଥାଏ। ଏହା ଏକ ବହୁ ଶାଖାବିଶିଷ୍ଟ ଚକ୍ରାରୋହୀ ଲତା। ବଡ଼ ବୃକ୍ଷର ସାହାରା ପାଇଲେ ଏହା ବହୁ ଉଚ୍ଚତାକୁ ବଢ଼ିପାରେ। ଅନେକ ଉପଯୋଗିତା ଥିବା ଗୁଡ଼ମାରି ଏକ ଔଷଧୀୟ ଲତା। ଆୟୁର୍ବେଦରେ ଏହାର ପତ୍ର ଏବଂ ମୂଳକୁ ମୁଖ୍ୟତଃ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ଏହାର ନାମରୁ ଜଣାଯାଏ ଏହା ଗୁଡ଼ ଅର୍ଥାତ୍‌ ମିଠାପଣକୁ ନଷ୍ଟ କରିଦିଏ। ମଧୁମେହ ପୀଡ଼ିତ ବ୍ୟକ୍ତି ଏହାକୁ ସେବନ କଲେ ତା’ଠାରେ ରକ୍ତଶର୍କରା ହ୍ରାସ ଘଟିଥାଏ। ଏହାର ପତ୍ରକୁ ଚୋବାଇବା ଦ୍ୱାରା ଜିଭ କିଛି ସମୟ ପାଇଁ ସ୍ୱାଦହୀନ ହୋଇଯାଏ ଏବଂ ଏହି ସମୟରେ ଯାହା ବି ଖାଇଲେ ବାଲି ପରି ଲାଗେ। ଅର୍ଥାତ୍‌ କୌଣସି ସ୍ୱାଦ ବାରିପାରେ ନାହିଁ। ଗୁଡ଼ମାରୀ ପତ୍ର, ଶ୍ୱାସ, ଅର୍ଶ, ହୃଦୟ ସମ୍ବନ୍ଧୀୟ ରୋଗ, କଫ, କୃମି, କୁଷ୍ଠ, ଚକ୍ଷୁରୋଗ, ଦନ୍ତରୋଗ, ମଧୁମେହ ଆଦି ରୋଗ ପାଇଁ ବ୍ୟବହାର କରାଯାଇଥାଏ। ଏହି ଲଟାର ସଂସ୍କୃତରେ ମଧୁନାଶିନୀ, ଅଜବଲ୍ଲୀ ପରି ଅନେକ ନାମ ରହିଛି। ଏବେ ଜାଣନ୍ତୁ ଏହାର ବିଭିନ୍ନ ଉପକାରୀ ଗୁଣ ସମ୍ପର୍କରେ।


  • -ଗୁଡ଼ମାରି ଶରୀରରେ ଏନ୍‌ଜାଇମ୍‌ ବର୍ଦ୍ଧକ ଭାବେ କାର୍ଯ୍ୟ କରୋ, ତେଣୁ ଏହା ଶର୍କରା ପାଚନରେ ସହାୟକ ହୋଇଥାଏ।
  • -ଗବେଷଣାରୁ ଜଣା ଯାଇଛି ଗୁଡ଼ମାରି ସେବନ ଦ୍ୱାରା ପାନକ୍ରିୟାସ୍‌ର ବିଟା ସେଲ୍‌ର କ୍ରିୟା ବୃଦ୍ଧି ପାଇଥାଏ। ଇନ୍‌ସୁଲିନ୍‌ ନିର୍ମାଣରେ ମଧ୍ୟ ବୃଦ୍ଧି ଘଟିଥାଏ।
  • -ଗୁଡ଼ମାରି ଜିଭର ସ୍ୱାଦକୁ ନଷ୍ଟ କରୁଥିଲେ ବି ପରିସ୍ରା ଦେଇ ବାହାରିଯାଉଥିବା ଶର୍କରାକୁ ରୋକିବାରେ ସହାୟକ ହୋଇଥାଏ।
  • -ଏହାର ମଞ୍ଜି ଥଣ୍ଡା କାଶ ରୋଗରୁ ରକ୍ଷା କରିଥାଏ। ଏହାର ମୂଳ ବିଷନାଶକ।
  • -ଗୁଡ଼ମାରି ପତ୍ରକୁ ଚାରିଗୁଣା ଜଳରେ ଭିଜାଇ ଏକ ବିଶେଷ ବିଧିରେ ସେଥିରୁ ଅର୍କ ବାହାର କରାଯାଇଥାଏ। ଦେଢ଼- ଦେଢ଼ ତୋଳା ଦିନକୁ ଦୁଇଥର ଏହାକୁ ସେବନ କରିବା ଦ୍ୱାରା ବୃଦ୍ଧି ପାଉଥିବା ରକ୍ତ ଶର୍କରା ସ୍ତରକୁ ଏହା ହ୍ରାସ କରିଥାଏ।
  • -ଗୁଡ଼ମାରି ପତ୍ରର ଚୂର୍ଣ୍ଣ ଅଧଚାମଚ ଲେଖା ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ମହୁ କିମ୍ବା ଗାଈକ୍ଷୀର ସହ ସେବନ କରିବା ଦ୍ୱାରା ଯକୃତରେ ଥିବା ବିକୃତି ଦୂର ହୋଇଯାଏ।
  • -ପ୍ରାଚୀନ କାଳରେ ଗୁଡ଼ମାରି ଦ୍ୱାରା ମଧୁମେହ ରୋଗୀଙ୍କ ଚିକିତ୍ସା କରାଯାଉଥିଲା। ମଧୁମେହ ପାଇଁ ଆୟୁର୍ବେଦରେ ଅନ୍ୟାନ୍ୟ ଦ୍ରବ୍ୟ ରହିଥିଲେ ବି ଗୁଡ଼ମାରି ଥିଲା ମୁଖ୍ୟ ଉପାଦାନ। ଗୁଡ଼ମାରି ପତ୍ର ୫୦ ଗ୍ରାମ୍‌, ଜାମୁକୋଳି ମଞ୍ଜିର ଚୂର୍ଣ୍ଣ ୫୦ ଗ୍ରାମ୍‌, ଶୁଖିଲା ବେଲପତ୍ର ୫୦ ଗ୍ରାମ୍‌, ଶୁଖିଲା ନିମ୍ବପତ୍ର ୫୦ ଗ୍ରାମ୍‌, ବବୁଲ୍‌ ଛାଲି ଗୁଣ୍ଡ ୨୦ ଗ୍ରାମ୍‌, ଡାଳଚିନି ୪୦ ଗ୍ରାମ୍‌, କଲରାମଞ୍ଜି ଚୂର୍ଣ୍ଣ ୨୦ ଗ୍ରାମ୍‌ ଏବଂ କଳା ତୁଳସୀ ୨୦ ଗ୍ରାମ୍‌ ଏସବୁକୁ ମିଶାଇ ଭଲ ଭାବେ କୁଟି ତାକୁ ଏକ ଶିଶିରେ ଭରି କରି ରଖନ୍ତୁ। ବଜାରରୁ ଏଇ ସବୁ ଦ୍ରବ୍ୟ କିଣୁଥିଲେ କିମ୍ବା ବାଡ଼ି ବଗିଚାରୁ ସଂଗ୍ରହ କରୁଥିଲେ ତା’ର ଗୁଣବତ୍ତାକୁ ପ୍ରଥମେ ଦେଖନ୍ତୁ। ଏଥିରୁ ଦୁଇ-ତିନି ଗ୍ରାମ (ଏକ ଛୋଟ ଚାମଚରେ ଅଧଚାମଚ) ନେଇ ସକାଳେ ଏବଂ ସନ୍ଧ୍ୟାରେ ଜଳ ସହ ସେବନ କରନ୍ତୁ। ଏହି ମିଶ୍ରଣ ରକ୍ତରେ ଶର୍କରା ବୃଦ୍ଧି ଏବଂ ମୂତ୍ରରେ ଶର୍କରା ଯିବା- ଉଭୟକୁ ନିୟନ୍ତ୍ରିତ କରିଥାଏ। ଅଗ୍ନାଶୟ ଏବଂ ଯକୃତ ଉପରେ ଏହାର ସୁପ୍ରଭାବ ପଡୁଥିବାରୁ ମଧୁମେହ ରୋଗର ଦୁଷ୍ପ୍ରଭାବ ହ୍ରାସ ପାଇଥାଏ। ତେବେ ଏହି ଔଷଧ ସେବନ ସମୟରେ ମିଠା, ଖଟା, ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ, ଲଙ୍କା ମରିଚ, ଆଳୁ, ଭାତ ଏସବୁକୁ ଯଥାସମ୍ଭବ କମ୍‌ କରି ପାରିଲେ ତୁରନ୍ତ ଲାଭ ମିଳିଥାଏ।

ମୋଟାମୋଟି ଗୁଡ଼ମାରି ଆଣ୍ଟିଡାୟାବେଟିକ୍‌ (ମଧୁମେହରୋଧୀ), ରକ୍ତଶର୍କରା ହ୍ରାସ, ଇନ୍‌ସୁଲିନ୍‌ର ପ୍ରବାହ ବୃଦ୍ଧି, ଶରୀରରେ ଗ୍ଲୁକୋଜ୍‌ର ଉତ୍ତମ ଉପଯୋଗ କରାଇବା, ମୋଟାପଣ ହ୍ରାସ କରିବା, ଜ୍ୱର ପ୍ରଭାବକୁ ହ୍ରାସ କରିବା, ହୃଦ୍‌ରୋଗର ଉପଚାର କରିବା, କୋଷ୍ଠକାଠିନ୍ୟ ଦୂର କରିବା, ଶ୍ୱାସଜନିତ ସମସ୍ୟା ହ୍ରାସ କରିବା, ତ୍ୱଚା ରୋଗ, ଋତୁସ୍ରାବ ପରି ଅନେକ ରୋଗର ଉପଚାର କରିଥାଏ।
ଗୁଡମାରି ଉପାଦାନ ଥିବା ଅନେକ ଔଷଧ ଏବେ ବଜାରରେ ଉପଲବ୍‌ଧ। ତେବେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗୁଡ଼ମାରି ବ୍ୟବହାର କରୁଥିଲେ ଉପଯୁକ୍ତ ବୈଦ୍ୟଙ୍କ ପରାମର୍ଶରେ ଉପଯୁକ୍ତ ପରିମାଣରେ ଗ୍ରହଣ କରିବା ବିଧେୟ।

ସମ୍ବନ୍ଧିତ ଖବର