ମିରଟରେ ଅଜବ ଘଟଣା : ମାଙ୍କଡ଼ ଖାଇଗଲେ କରୋନା ନମୁନା, ସଂକ୍ରମଣ ଆଶଙ୍କା  

ମିରଟ : ସାରାଦେଶ କରୋନା ଭାଇରସ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଉତ୍ତରପ୍ରଦେଶର ମିରଟରେ ଏକ ଅଜବ ଘଟଣା ଘଟିଛି । ଲୋକମାନଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ନମୁନାକୁ ମାଙ୍କଡ଼ମାନେ ନେଇଯାଇଛନ୍ତି । ଏହାକୁ ନେଇ ଅଂଚଳରେ ହଇଚଇ ସୃଷ୍ଟି ହୋଇଛି ।

ଘଟଣାଟି ଘଟିଛି ମିରଟ ମେଡିକାଲ କଲେଜରେ । ମିଳିଥିବା ସୂଚନା ମୁତାବକ ଜଣେ ଲାବରେଟୋରୀ ଟେକନିସିଆନ କରୋନା ସଂଦିଗ୍ଧମାନଙ୍କ ଠାରୁ ସ୍ବାବ ନମୁନା ନେଇ ମେଡିକାଲ କଲେ ପରିସରରେ ଯାଉଥିବାବେଳେ ହଠାତ ମାଙ୍କଡ଼ ଦଳ ତାଙ୍କ ଆକ୍ରମଣ କରି ନମୁନା ଗୁଡ଼ିକୁ ଛଡ଼ାଇେଇ ପଳାଇଯାଇଥିଲେ । କିଛିବାଟ ଯିବାପରେ ମାଙ୍କଡ଼ମାନେ ଗୋଟିଏ ଗଛରେ ଚଢି ସ୍ବାବଗୁଡ଼ିକୁ ଖାଉଥିବା ଦେଖାଯାଇଥିଲା । କିଛି ମାଙ୍କଡ଼ ମଧ୍ୟ ସ୍ବାବ ନମୁନା ଥିବା ଛୋଟ ସିସିଗୁଡ଼ିକୁ ଏଣେତେଣେ ପକାଇଦେଇଥିବା ଦେଖାଯାଇଛି ।

ମାଙ୍କଡ଼ମାନେ ସ୍ବାବ ନମୁନା ଖାଇଦେଇଥିବାରୁ ସେମାନଙ୍କ ଶରୀରରେ କରୋନା ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି । ଏପରି ହେଲେ ଅଂଚଳରେ କରୋନା ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଛି । କାରଣ ମାଙ୍କଡ଼ମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର । ସେମାନେ ଏଣେତେଣେ ବୁଲୁଥିବାରୁ ବିଭିନ୍ନ ଅଂଚଳରେ କରୋନା ସଂକ୍ରମଣ ବଢିବାର  ଆଶଙ୍କା ରହିଛି । ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ ପଶୁମାନଙ୍କ ଶରୀରକୁ ମଣିଷ ଶରୀରରୁ କରୋନା ସଂକ୍ରମଣ ହେଉଛି ।

ଏହି ଘଟଣା ସଂପର୍କିତ ଏକ ଭିଡ଼ିଓ ଭାଇରାଲ ହୋଇଥିବାବେଳେ ମିରଟ ଜିଲ୍ଲାପାଳ ଅନୀଲ ଧିଙ୍ଗରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି ।

ସମ୍ବନ୍ଧିତ ଖବର