ଭୁବନେଶ୍ୱର: ଆଜିର ଯୁଗ ହେଉଛି ଇଣ୍ଟରନେଟର ଯୁଗ। ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସାମାଜିକ ଗଣମାଧ୍ୟମକୁ ନିଜର ଦୈନନ୍ଦିନ ଜୀବନଶୈଳୀରେ ବ୍ୟବହାର କରିବା ଏବଂ ଉକ୍ତ ପ୍ଲାଟଫର୍ମ ମାନଙ୍କରେ ନିଜର ଅଭିବ୍ୟକ୍ତି ପରିପ୍ରକାଶ କରିବାର ସମୟ। ଇଣ୍ଟରନେଟର ବହୁଳ ବ୍ୟବହାର ଦ୍ୱାରା ଆଜି ଲୋକେ ନିଜ ଘରେ ବସି ନିଜର ମୋବାଇଲ ମାଧ୍ୟମରେ ବିଭିନ୍ନ ତଥ୍ୟ ପାଇ ପାରୁଛନ୍ତି। କିନ୍ତୁ ଆଜି ବି ବିଭିନ୍ନ ସର୍ଚ୍ଚ ଇଂଜିନ ଏବଂ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇପାରିବା ସମ୍ଭବପର ହୋଇପାରୁନାହିଁ, ଯାହା ଫଳରେ ଡିଜିଟାଲ ପ୍ଲାଟଫର୍ମମାନଙ୍କରେ ଓଡ଼ିଆ ୟୁଜର୍ସମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହି ସମସ୍ୟାର ସମାଧାନ ତଥା ଡିଜିଟାଲ୍ ପ୍ଲାଟଫର୍ମରେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ହେବା ସହ ଓଡ଼ିଆ ଲୋକମାନେ ନିଜ ମାତୃଭାଷାରେ ଯେପରି ସହଜଭାବେ ସମସ୍ତ ତଥ୍ୟ ପାଇପାରିବେ ଏବଂ ନିଜର ଅଭିବ୍ୟକ୍ତିକୁ ସରଳ ଭାବେ ପରିପ୍ରକାଶ କରିପାରିବେ, ସେ ନେଇ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁଗୁଲ୍ ଇଣ୍ଡିଆ ଟିମ୍ ର ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଡିଜିଟାଲ୍ ପ୍ଲାଟଫର୍ମ ମାନଙ୍କରେ ବ୍ୟବହାର ହେଉଥିବା ଓଡ଼ିଆ ଭାଷାକୁ କିପରି ସଠିକ୍ ଏବଂ ନିର୍ଭୁଲ ଭାବେ ଉପସ୍ଥାପିତ କରାଯାଇପାରିବ ସେ ନେଇ ଆଲୋଚନ କରାଯାଇଥିଲା। ଏଥି ସହ ଇଂରାଜୀ ଭାଷାରେ ଉପଲବ୍ଧ ହେଉଥିବା ତଥ୍ୟର ସଠିକ୍ ଓଡ଼ିଆ ଅନୁବାଦ, ଓଡ଼ିଆ ଲିପିର ଷ୍ଟାଣ୍ଡାର୍ଡ଼ାଇଜେସନ୍ ହେବା, ସାମାଜିକ ଗଣମାଧ୍ୟମରେ ଅଭିବ୍ୟକ୍ତି ପରିପ୍ରକାଶ ନିମନ୍ତେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ଏବଂ ଡିଜିଟାଲ୍ ପ୍ଲାଟଫର୍ମ ମାନଙ୍କରେ ଓଡ଼ିଆ ଭାଷାରେ ଯେପରି ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ ସେ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା।
ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ଡିଜିଟାଲ ପ୍ଲାଟଫର୍ମରେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ସମ୍ପର୍କରେ ଗୁଗୁଲ ଇଣ୍ଡିଆ ଟିମ୍ର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବା ବିଶ୍ୱର କୋଣଅନୁକୋଣରେ ବାସ କରୁଥିବା ସମସ୍ତ ଓଡ଼ିଆ ଲୋକଙ୍କୁ ଯୋଡି ରଖିବା କାର୍ଯ୍ୟ କରିବା ସହ ଅଭିବ୍ୟକ୍ତିର ପରିପ୍ରକାଶ ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ପ୍ରଦାନ କରିପାରିବ ବୋଲି ସେ ମତପ୍ରକାଶ କରିଥିଲେ। ଏଥିସହ ଓଡ଼ିଆ ଭାଷାରେ ବିଭିନ୍ନ ତଥ୍ୟ ଉପଲବ୍ଧ ହୋଇପାରିଲେ ଏହା ସାଧାରଣ ଜନସାଧାରଣ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ବର୍ଗ ଏବଂ ଗବେଷକମାନଙ୍କ ପାଇଁ ବହୁ ସୁବିଧା ଯୋଗାଇଦେବ ବୋଲି ସେ କହିଥିଲେ ।
ଏଥିସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲରେ ଯେପରି ଓଡ଼ିଆ ଭାଷାରେ ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।
ଆଜିର ଆଭାସୀ ବୈଠକରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ଭାରତ ସରକାରଙ୍କ ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ଲଷ୍ମୀନାରାୟଣ ମିଶ୍ର, ଓଡ଼ିଶା ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଶ୍ରୀ ଦେବପ୍ରସାଦ ଦାଶ, ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଶ୍ରୀ ଫଣୀନ୍ଦ୍ର ନନ୍ଦ, ପ୍ରେମାନଦ ମହାପାତ୍ର ଏବଂ ଗୁଗୁଲ ଇଣ୍ଡିଆ ଟିମ୍ ତରଫରୁ ହର୍ଷ ଧନ୍ଦ ଏବଂ ଅମ୍ରିତା କାମାତ୍ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2018/07/odia-language.jpg)