ରାଉରକେଲା: ପଶ୍ଚିମାଞ୍ଚଳ ପୁଲିସ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣା ହ୍ରାସ, ସୀମାନ୍ତରୁ ମାଓ ଦମନ, ବେଆଇନ ବନ୍ଧୁକ କାରବାର ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ପଶ୍ଚିମାଞ୍ଚଳ ରେଞ୍ଜ ଅଫିସରେ ଡିଆଇଜି ବ୍ରିଜେଶ ରାୟଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରାଉରକେଲା ଏସ୍ପି ନୀ​ତେଶ ୱାଧୱାନୀ, ସୁନ୍ଦରଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକର ଓ କେନ୍ଦୁଝର ଏସ୍ପି କୁସଲକର ନୀତିନ୍ ଦଗ୍ଡୁ, ରେଳବାଇ ଏସ୍ପି ଓ ସ୍ପେସାଲ ବ୍ରାଞ୍ଚର ଅତିରିକ୍ତ ଏସ୍ପିଙ୍କୁ ନେଇ ରେଞ୍ଜ କନ୍ଫ୍ରେନ୍ସ କମିଟି ଗଠନ କରାଯାଇଛି। ବୈଠକ ସଂପର୍କରେ ଶ୍ରୀ ରାୟ ସୂଚନା ଦେଇ କହିଛନ୍ତି ଯେ, ସମସ୍ତ ଟିମ୍ ପରସ୍ପର ମଧ୍ୟରେ କିଭଳି ସମନ୍ବୟ ରକ୍ଷା କରି କାମ କରିବ ତାହା ଆଲୋଚନା ହୋଇଛି। ଆଗାମୀ ଦିନରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ କିଭଳି ମିଳିତ ମୁକାବିଲା କରାଯିବ ସେନେଇ ରେଳବାଇ ଏସ୍ପିଙ୍କ ସହ ଆଲୋଚନା କରାଯାଇଛି। ଜିଲ୍ଲା​​ରେ ଘଟୁଥିବା ଅପରାଧ, ସମାଧାନ ହୋଇନଥିବା ମାମଲା, ଜାମିନବିହୀନ ପରୱାନା ଜାରି ହୋଇଥିବା ଅପରାଧୀଙ୍କୁ ଧରିବା ନେଇ ବିସ୍ତୃତ ଆଲୋଚନା ହୋଇଥିବା ଶ୍ରୀ ରାୟ କହିଛନ୍ତି।
ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ:
ଗତମାସ ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ରାଉରକେଲା ଆସିଥିଲେ। ପଶ୍ଚିମାଞ୍ଚଳ ରେଞ୍ଜ ଖଣିଖାଦାନ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ବୋଲି କହିଥିଲେ। ତେବେ ସଡ଼କ ଦୁର୍ଘଟଣା କିଭଳି ହ୍ରାସ ପାଇବ ସେନେଇ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ଦୁର୍ଘଟଣାକୁ ରୋକିବା ଦିଗରେ ଆଜିର ବୈଠକରେ ଆଲୋଚନା ହୋଇଛି। କେନ୍ଦୁଝର, ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ଚଳିତବର୍ଷ ଦ୍ବିତୀୟାର୍ଦ୍ଧରେ ଅର୍ଥାତ୍ ଜୁଲାଇ ୧ରୁ ଡିସେମ୍ବର ୩୧ ମଧ୍ୟରେ ସଡ଼କ ଦୁର୍ଘଟଣାକୁ ୩୦ରୁ ୩୫% ହ୍ରାସ କରିବା ନେଇ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର୍) ପ୍ରସ୍ତୁତ କରାଯାଇଛି।
ମାଓ ଗତିବିଧି ଉପରେ କଡ଼ା ନଜର:
ଓଡ଼ିଶା ସୀମାନ୍ତରେ ଜାରି ରହିଥିବା ମାଓ ଗତିବିଧି ଉପ​ରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବର୍ତ୍ତମାନ ପଶ୍ଚିମାଞ୍ଚଳ ରେଞ୍ଜ ପୁଲିସ ଜିଲ୍ଲାରେ ଲାଲବାହିନୀ ସକ୍ରିୟ ନାହାନ୍ତି। ତଥାପି ଚାଏଁବାସାର ପଶ୍ଚିମ ସିଂହଭୂମ ଏବଂ ରାଉରକେଲା ପୁଲିସ ନିୟମିତ ପରସ୍ପର ମଧ୍ୟରେ ଯୋଗାଯୋଗରେ ଅଛନ୍ତି। ଏହାସହ ସୂଚନାଦାତାଙ୍କ ଠାରୁ ମାଓ ଗତିବିଧି ଖବର ସଂଗ୍ରହ କରାଯାଉଛି। ଯଦି ଲାଲବାହିନୀ କାର୍ଯ୍ୟକଳାପ ସାମ୍ନାକୁ ଆସେ ତାହାଲେ ସ୍ବତନ୍ତ୍ର ଅପରେସନ୍ ଲଞ୍ଚ କରାଯିବ।
ଅପ​ରେସନ୍ ‘ସୁରକ୍ଷା’:
ପେସାଦାର ଅପରାଧୀଙ୍କୁ ନିୟନ୍ତ୍ରଣ କରିବାକୁ ଆରମ୍ଭ ହୋଇଥିବା ଅପ​ରେସନ୍ ‘ସୁରକ୍ଷା’ ସଠିକ୍ ଭାବେ ଚାଲିଛି। ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅନେକ ପଦକ୍ଷେପ ନିଆଯାଇଛି। ସବୁ ଅପରାଧୀଙ୍କ ଉପରେ ପୁଲିସର କଡ଼ା ନଜର ରହିଛି। ଜାମିନ୍ ବିହୀନ ପରୱାନା ଜାରି ହୋଇଥିବା ଅପରାଧୀଙ୍କୁ କାବୁ କରାଯାଉଛି। ଏହାସହ ବେଆଇନ ବନ୍ଧୁକ ଚାଲାଣ ଓ ବିକ୍ରି ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି।
ଅନୁପ୍ରବେଶକାରୀ ଚିହ୍ନଟ:
ଜମ୍ମୁ​ ପହଲଗାମ୍ରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ ପରେ ସହରରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ସମସ୍ତ ଏସ୍ପି ସ୍ପେସାଲ ବ୍ରାଞ୍ଚ ଅତିରିକ୍ତ ଏସ୍ପିଙ୍କ ମିଶି ବାହାରୁ ଆସିଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି। ସ୍ବତନ୍ତ୍ର ଭାବେ ବାଂଲାଦେଶୀଙ୍କୁ ଚିହ୍ନଟ ଉପରେ ଗୁରୁତ୍ବ ଦିଆଯାଉଛି। ଆଶା କରୁଛୁ ଶୀଘ୍ର ଏହି ପ୍ରକ୍ରିୟା ଶେଷ କରି ବିହିତ ପଦକ୍ଷେପ ନିଆଯିବ।
ରାସ୍ତାଘାଟ ମରାମତି ନେଇ ପଦକ୍ଷେପ:
୩ ପୁଲିସ ଜିଲ୍ଲାରେ ରାସ୍ତାଘାଟର ଅବସ୍ଥା ମଧ୍ୟ ବିଗିଡ଼ିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି। ଏହି ରାସ୍ତାଗୁଡ଼ିକୁ ତୁରନ୍ତ ମରାମତି ନେଇ ଏନ୍ଏଚ୍ଏଆଇ ସହ ଆଲୋଚନା କରାଯିବ। କେଉଁ କେଉଁ ସ୍ଥାନରେ ସିଗ୍ନାଲ ଲଗାଇଲେ ସଡ଼କ ଦୁର୍ଘଟଣା କମ୍ ହୋଇପାରିବ ​ସେନେଇ ମଧ୍ୟ ବିଚାରବିମର୍ଶ କରାଯିବ। ଏନେଇ ଏକ ଟିମ୍ ଗଠନ କରାଯାଇଛି। ଟିମ୍ର ପରାମର୍ଶରେ ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ହୋଇପାରିବ ବୋଲି ଶ୍ରୀ ରାୟ ଆଶାପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/24/rYCSm93DlitKyF62k9rs.jpg)