ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ଠକେଇ ଅଭିଯୋଗରେ ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ମେହୁଲ ଚୋକସି ସ୍ୱିଜରଲ୍ୟାଣ୍ଡକୁ ପଳାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଭାରତୀୟ ଏଜେନ୍ସିମାନେ ବେଲଜିୟମ ଏଜେନ୍ସିଗୁଡ଼ିକୁ ଏ ବିଷୟରେ ସୂଚନା ଦେଇଥିଲେ, ଯାହା ପରେ ତାଙ୍କୁ ୧୨ ଏପ୍ରିଲରେ ଗିରଫ କରାଯାଇଥିଲା। ସୂଚନାନୁସାରେ, ମେହୁଲ ଚୋକସି ତାଙ୍କ ଭାରତୀୟ ଏବଂ ଆଣ୍ଟିଗୁଆନ୍ ନାଗରିକତ୍ୱକୁ ବେଲଜିୟମ ଏଜେନ୍ସିରୁ ଲୁଚାଇ ରଖିଥିଲେ ଏବଂ ସେଠାରୁ ସ୍ୱିଜରଲ୍ୟାଣ୍ଡକୁ ପଳାଇବାକୁ ଚେଷ୍ଟା କରୁଥିଲେ। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ କର୍କଟ ଚିକିତ୍ସା ବାହାନାରେ ସେ ବେଲଜିୟମରେ ପହଞ୍ଚିଛନ୍ତି।

Advertisment

ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ ଏବଂ ଇଡି ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ମେହୁଲ ସ୍ୱିଜରଲ୍ୟାଣ୍ଡକୁ ପଳାଇବାକୁ ଯୋଜନା କରୁଥିବା ଜଣାପଡିବା ମାତ୍ରେ ଭାରତୀୟ ଏଜେନ୍ସିମାନେ ବେଲଜିୟମର ଅନୁସନ୍ଧାନକାରୀ ସଂସ୍ଥାକୁ ସତର୍କ କରାଇ ଚୋକସି ସହ ଜଡିତ ସମସ୍ତ ଦଲିଲ ଏବଂ ମୁମ୍ବାଇ କୋର୍ଟ ଦ୍ୱାରା ଜାରି କରାଯାଇଥିବା ୱାରେଣ୍ଟ ଦେଇଥିଲେ। ଏହା ପରେ ଚୋକସି ବେଲଜିୟମର ସୁରକ୍ଷା ଏଜେନ୍ସି ଦ୍ୱାରା ଧରାପଡିଥିଲେ। ବେଲଜିୟମରେ ଗିରଫ ହେବା ପରେ ମେହୁଲ ଚୋକସି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଦର୍ଶାଇ କୋର୍ଟରେ ଜାମିନ ମାଗିଛନ୍ତି।

 ତାଙ୍କ ତରଫରୁ କୁହାଯାଇଥିଲା ଯେ ସେ ଚିକିତ୍ସା ପାଇଁ ଆଣ୍ଟିଗୁଆ ଏବଂ ବାରବୁଡାରୁ ବେଲଜିୟମ ଆସିଥିଲେ ଏବଂ ତାଙ୍କ ପତ୍ନୀଙ୍କ ସହ ଆଣ୍ଟୱର୍ପରେ ରହୁଥିଲେ। ପୋଲିସ ତାଙ୍କୁ ଏଠାରେ ଗିରଫ କରିଥିଲା। ଏହି ସମୟରେ ଭାରତୀୟ ଏଜେନ୍ସିମାନେ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ତେବେ ଚୋକସିଙ୍କ ନାଗରିକତା ଏବଂ ଚିକିତ୍ସା ଅବସ୍ଥା ଯୋଗୁଁ ଏହା ସହଜ ହେବ ନାହିଁ।