ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର, ଏନ୍.ଏଲ୍.ଏଫ୍ ଟି. ଏବଂ ଏ.ଟି.ଟି.ଏଫ୍. ମଧ୍ୟରେ ଏକ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ଉଗ୍ରବାଦ ମୁକ୍ତ ଉତ୍ତର-ପୂବାଞ୍ଚଳ ଲକ୍ଷ୍ୟ ପୂରଣ ଦିଗରେ ଏହି ବୁଝାମଣା ଏକ ମାଇଲଖୁଣ୍ଟ। ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର ଡକ୍ଟର ମାଣିକ ଶାହା ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ତ୍ରିପୁରା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଆଜି ସମଗ୍ର ଦେଶ ତଥା ତ୍ରିପୁରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସେ କହିଥିଲେ ଯେ ନେସନାଲ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନ୍.ଏଲ୍.ଏଫ୍.ଟି.) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏ.ଟି.ଟି.ଏଫ୍.) ଅସ୍ତ୍ର ତ୍ୟାଗ କରି ମୁଖ୍ୟଧାରାରେ ସାମିଲ ହୋଇ ସମଗ୍ର ତ୍ରିପୁରାର ବିକାଶ ନିମନ୍ତେ ଏହି ରାଜ୍ୟରେ ୩୫ ବର୍ଷ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଲାଗି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।

Advertisment

 ସେ କହିଥିଲେ ଯେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଶାନ୍ତି ଏବଂ ବାର୍ତ୍ତାଳାପ ମାଧ୍ୟମରେ ଏକ ସକ୍ଷମ ଏବଂ ବିକଶିତ ଉତ୍ତର-ପୂର୍ବାଞ୍ଚଳର ଦୃଷ୍ଟିକୋଣକୁ ଉପସ୍ଥାପନ କରିଛନ୍ତି। ସଡ଼କ, ରେଳ ଏବଂ ବିମାନ ଦ୍ୱାରା ମୋଦୀ କେବଳ ଉତ୍ତର-ପୂର୍ବ ଏବଂ ଦିଲ୍ଲୀ ମଧ୍ୟରେ ଦୂରତା ହ୍ରାସ କରିନାହାନ୍ତି, ବରଂ ହୃଦୟ ମଧ୍ୟରେ ଦୂରତା ମଧ୍ୟ ଦୂରେଇ ଦେଇଛନ୍ତି ବୋଲି ସେ କହିଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଆଜିର ରାଜିନାମା ହେଉଛି ଉତ୍ତର-ପୂର୍ବାଞ୍ଚଳ ପାଇଁ ଦ୍ୱାଦଶ ରାଜିନାମା ଏବଂ ତ୍ରିପୁରା ସହ ଜଡ଼ିତ ତୃତୀୟ ରାଜିନାମା। ସେ କହିଥିଲେ ଯେ ଏହିସବୁ ରାଜିନାମା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାର ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାକୁ ଆସିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଏହି ୧୨ଟି ରାଜିନାମା ଜରିଆରେ ଉଭୟ ପକ୍ଷର ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି।

 ଆଜିର ରାଜିନାମା ଅନୁଯାୟୀ ୩୨୮ରୁ ଅଧିକ ସଶସ୍ତ୍ର କ୍ୟାଡର ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟଧାରାରେ ସାମିଲ ହୋଇ କେବଳ ବିକଶିତ ତ୍ରିପୁରା ନୁହେଁ, ବରଂ ବିକଶିତ ଭାରତରେ ମଧ୍ୟ ଯୋଗଦାନ କରିପାରିବେ। ଶ୍ରୀ ଶାହା କହିଥିଲେ ଯେ ଭାରତ ସରକାର ସେହି ଅଞ୍ଚଳର ବିକାଶ ତଥା ସେମାନଙ୍କ ଅସ୍ତ୍ରଶସ୍ତ୍ର ଉଠାଇବାର କାରଣକୁ ଦୂର କରିବା ଲାଗି ସମସ୍ତ ରାଜିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତରିକ ଏବଂ ସମ୍ବେଦନଶୀଳ ପ୍ରୟାସ କରିଆସୁଛନ୍ତି। ସେ କହିଥିଲେ ଯେ କେନ୍ଦ୍ର ସରକାର ତ୍ରିପୁରାର ଆଦିବାସୀ ଜନସଂଖ୍ୟାର ସାମଗ୍ରିକ ବିକାଶ ପାଇଁ ୨୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ଦେଇଛନ୍ତି।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର ସମସ୍ତ ରାଜିନାମା ଗୁଡ଼ିକୁ ଅକ୍ଷରେ ଅକ୍ଷରେ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିଛନ୍ତି।

ସେ କହିଥିଲେ ଯେ ଇତିହାସ ସାକ୍ଷୀ ରହିଛି ଯେ ମୋଦୀ ସରକାର ପ୍ରତ୍ୟେକ ଶାନ୍ତି ରାଜିନାମାକୁ ଆନ୍ତରିକ ଓ ବାସ୍ତବ ଭାବନା ନେଇ କାର୍ଯ୍ୟକାରୀ କରିଛନ୍ତି। ସେ କହିଥିଲେ ଯେ ବ୍ରୁ-ରିଆଙ୍ଗ ରାଜିନାମା ପରେ ଆଜି ହଜାର ହଜାର ବ୍ରୁ-ରିଆଙ୍ଗ ଭାଇ ନିଜ ଘରେ ରହୁଛନ୍ତି, ସେମାନଙ୍କ ପିଲାମାନେ ଭଲ ବିଦ୍ୟାଳୟରେ ପଢ଼ୁଛନ୍ତି, ସେମାନଙ୍କ ରୋଜଗାରର ବ୍ୟବସ୍ଥା କରାଯାଉଛି ଏବଂ ସେମାନଙ୍କୁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସମ୍ପୂର୍ଣ୍ଣ ଲାଭ ମିଳୁଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସରକାର ମଧ୍ୟ ଏହି ରାଜିନାମାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବେ ଏବଂ ସମସ୍ତଙ୍କ ଆଶା ପୂରଣ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ପ୍ରୟାସ କରିବ। ସେ କହିଥିଲେ ଯେ ଏକ ସୁଦୃଢ଼ ତ୍ରିପୁରା ଗଠନ ଦିଗରେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବୁ।