ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଅଞ୍ଚଳରେ ଜଣେ ବିଦ୍ୟାଙ୍ଗ ଯୁବତୀକୁ ଗତବର୍ଷ ହୋଇଥିବା ଦୁଷ୍କର୍ମ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅରବିନ୍ଦ ପଟ୍ଟନାୟକ ଦୋଷୀ ସାବ୍ୟସ୍ତ ଟିକାବାଲି ଥାନା ଗାର୍ଡିଙ୍ଗିଆର ଅଭିଯୁକ୍ତ କମଳକାନ୍ତ ପ୍ରଧାନକୁ ୧୦ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ୨୦୧୭ ଜୁଲାଇ ୧୪ରେ ଏହି ଘଟଣା ଘଟିଥିଲା। ପରିବାର ଲୋକ ବାହାରକୁ ଯାଇଥିବା ବେଳେ ଯୁବତୀ ଜଣକ ଘରେ ଏକୁଟିଆ ଥିଲେ। କୌଣସି କାମରେ ସେହି ଗାଁକୁ ବୁଲିବାକୁ ଯାଇଥିବା କମଳକାନ୍ତ ଜବରଦସ୍ତ ପ୍ରବେଶ କରି ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରଥମେ ଅସଦାଚରଣ ପରେ ଦୁଷ୍କର୍ମ କରିଥିଲା। ତାପରେ ଘଟଣା ସ୍ଥଳରୁ କମଳକାନ୍ତ ଫେରାର ହୋଇ ଯାଇଥିଲା। ପରିବାର ଲୋକ ଫେରିବା ପରେ ଯୁବତୀ ଜଣକ ଘଟଣା ସମ୍ପର୍କରେ କହିଥିଲା।

ପୀଡିତା ଯୁବତୀଙ୍କ ପରିବାର ପକ୍ଷରୁ ସାରଙ୍ଗଗଡ ଥାନାରେ ଅଭିଯୋଗ ହୋଇଥିଲା। କେଶ ନଂ ୪୬/୨୦୧୭ରେ ପୁଲିସ ମାମଲା ରୁଜୁ କରି ଘଟଣା ପରଠୁ ଫେରାର ଅଭିଯୁକ୍ତ କମଳକାନ୍ତକୁ ଗିରଫ କରିଥିଲା। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଥିବା ବେଳେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସୁଧାଂଶୁ ମୋହନ ପତି ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର