ରାଉରକେଲା: ପରିବେଶ ସ୍ଥାୟିତ୍ଵରେ ବୃଦ୍ଧି ଓ ସମ୍ବଳ ବ୍ୟବହାରକୁ ସର୍ବଶ୍ରେଷ୍ଠ ଗଢିବା ଉଦ୍ଦେଶ୍ୟରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ନୂଆ ପଦକ୍ଷେପ ନେଇଛି। ବାର୍ଷିକ ୦.୧୮ ମିଲିୟନ୍ ଟନ୍ ବିଶିଷ୍ଟ ମାଇକ୍ରୋ ପେଲେଟ କାରଖାନା ସ୍ଥାପନ ଆର୍‌ଏସ୍‌ପି ଓ ମେସର୍ସ ଶ୍ରୀ ଜଗନ୍ନାଥ ଷ୍ଟିଲ୍‌ସ ଆଣ୍ଡ୍‌ ପାୱାର ଲିମିଟେଡ୍ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ସଂସ୍ଥା ପ୍ରକଳ୍ପର ନିର୍ମାଣ, ପରିଚାଳନା ଓ ମରାମତି କରିବ। ଏଭଳି ପ୍ରକଳ୍ପ ହେଉଛି ସେଲ୍‌ରେ ପ୍ରଥମ। ଏହି ପ୍ରକଳ୍ପ ବର୍ଜ୍ୟବସ୍ତୁକୁ ଉଚ୍ଚ ମୂଲ୍ୟର ମାଇକ୍ରୋ ପେଲେଟରେ ପରିଣତ କରିବ, ଯାହାକି କାରଖାନାର ସିଣ୍ଟର ପ୍ଲାଣ୍ଟରେ ବ୍ୟବହୃତ ହେବ। ଆର୍‌ଏସ୍‌ପି ପ୍ରକଳ୍ପ ଏବଂ ଆଧୂନିକୀକରଣ ବିଭାଗର ସିଜିଏମ୍‌  ଏସ୍‌. ପାଲ୍‌ ଚୌଧୁରୀ ଓ ମେସର୍ସ‌୍ ଶ୍ରୀ ଜଗନ୍ନାଥ ଷ୍ଟିଲ୍‌ସ ଆଣ୍ଡ୍‌ ପାୱାର ଲିମିଟେଡ୍‌ର ସିଏମ୍‌ଡି ପ୍ରଶାନ୍ତ ଆଲୁୱାଲିଆ ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ। ରାଞ୍ଚିସ୍ଥ ସେଣ୍ଟର ଫର ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି (ସିଇଟି) ପ୍ରକଳ୍ପର ପରାମର୍ଶଦାତା ଥିବାବେଳେ ମେସର୍ଷ ପ୍ରାଇସ୍ ୱାଟରହାଉସ୍ କୁପର୍ ପ୍ରାଇଭେଟ ଲିମିଟେଡ୍ ଚୁକ୍ତିନାମା ପ୍ରସ୍ତୁତିରେ ସହାୟତା ପ୍ରଦାନ କରିଛି।

Advertisment

 ଉଲ୍ଲେଖଯୋଗ୍ୟ, ଏସ୍ଏମ୍ଏସ୍ ଓ ବିଏଫ୍ ସ୍ଲଜ୍, ଇଏସପି, ବ୍ୟାଗ୍ ଫିଲ୍ଟର ଧୂଳିକଣା ଏବଂ ମାଇକ୍ରୋନ୍ ଆକାରର ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଗୁଣ୍ଡ ଆରଏସପିରେ ଥିବା ସ୍ଲଜ୍ ପୋଖରୀରେ ଜମା ହେବାସହ ପରିବେଶ ପାଇଁ ଆହ୍ବାନ ସୃଷ୍ଟି କରୁଛି। ନୂତନ ମାଇକ୍ରୋ ପେଲେଟ୍ ପ୍ଲାଣ୍ଟ ଏହି ବର୍ଜ୍ୟବସ୍ତୁ ଗୁଣ୍ଡକୁ ୧ରୁ ୬ ମିଲିମିଟର ଆକାରର ମାଇକ୍ରୋ ପେଲେଟରେ ତାପଜ ସମଷ୍ଟିକରଣ କରି ଏହି ସମସ୍ୟାର ସମାଧାନ କରିବ। ନୂତନ ମାଇକ୍ରୋ ପେଲେଟ୍ ପ୍ଲାଣ୍ଟ୍‌ ବର୍ଜ୍ୟବସ୍ତୁ ହ୍ରାସ କରି ଲୌହ, କ୍ୟାଲସିୟମ ଅକ୍ସାଇଡ, ମ୍ୟାଗ୍ନେସିୟମ ଅକ୍ସାଇଡ ପରି ମୂଲ୍ୟବାନ ଉପାଦାନଗୁଡିକୁ ଉପଯୋଗ କରି ପରିବେଶ ସମସ୍ୟାକୁ ହ୍ରାସ କରିବାସହ ସାମଗ୍ରୀର ଆର୍ଥିକ ପୁନରୁଦ୍ଧାର ମଧ୍ୟ ସୁନିଶ୍ଚିତ କରିବ। ଉତ୍ପାଦିତ ମାଇକ୍ରୋ ପେଲେଟଗୁଡିକ ଆର୍‌ଏସ୍‌ପିର ସିଣ୍ଟର ପ୍ଲାଣ୍ଟରେ ବ୍ୟବହୃତ ହେବ ଏବଂ ଲୌହ ନିର୍ମାଣ ପ୍ରକ୍ରିୟାର ଦକ୍ଷତା, ସ୍ଥାୟୀତ୍ୱରେ ବୃଦ୍ଧି ଆଣିବ।