୯ ମାସ ପରେ ପୁଣି ଦାଦନ ଦୁଃଖ, ତାମିଲନାଡୁରେ ଓଡ଼ିଆ ଶ୍ରମିକ ମୃତ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ତାମିଲନାଡ଼ୁରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତକ ଘାସେ ମାଝୀ (୨୫)ଙ୍କ ଶବ ଗୁରୁବାର ତାଙ୍କ ଗାଁ ବାଲିଗୁଡ଼ାକୁ ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବିଜେପୁର ଥାନା ବେନଙ୍ଗା ପଞ୍ଚାୟତ ବାଲିଗୁଡ଼ା ଗାଁର ବଡ଼ଲକ୍ଷ୍ମଣ ମାଝୀଙ୍କ ପୁଅ ଘାସେ ଦେଢ଼ ବର୍ଷ ହେଲା ତାମିଲନାଡୁ ତିରପୁର ଜିଲ୍ଲା ଅଲଙ୍ଗିୟମ ଥାନା ଅଞ୍ଚଳ ଲକ୍ଷ୍ମୀ କ୍ରସରରେ କାମ କରୁଥିଲେ। ଗତ ମଙ୍ଗଳବାର ସକାଳ ୧୧ଟା ସମୟରେ ସାଙ୍ଗମାନଙ୍କ ସହ ଏକ ବାଇକ୍‌ରେ ନିକଟସ୍ଥ ଧରପୁରମ ମାର୍କେଟ ଯାଉଥିଲେ। ଏହି ସମୟରେ ମାରୁତି ସୁଜୁକି କାର୍‌ (ଟିଏନ୍‌ ୩୭ ଡିଓଆଇ ୬୦୩୯) ସହିତ ଧକ୍କା ହୋଇ ଗୁରୁତର ଆହତ ହୋଇଥିଲେ। ସେଠାକାର ଡାକ୍ତରଖାନାରେ ମଙ୍ଗଳବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଘାସେ ମାଝୀଙ୍କ ସ୍ତ୍ରୀ ସନାଙ୍ଗଦେଇ ମାଝୀ (୨୨) ଓ ତିନି ବର୍ଷର ଶିଶୁ କନ୍ୟା ରିନା ମାଝୀ ନିଜ ଗାଁ ବାଲିଗୁଡ଼ାରେ ରହୁଥିଲେ। ପରିବାର ଲୋକେ ଶବ ଆଣିବା ପାଇଁ ସକ୍ଷମ ନଥିବାରୁ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା ପରେ କ୍ରସର ମାଲିକ ତାମିଲନାଡୁରେ ଶବ ବ୍ୟବଚ୍ଛେଦ କରାଇ ଘାସେଙ୍କ ଶବକୁ ଏକ ଆମ୍ବୁଲାନ୍ସରେ ଗାଁକୁ ପଠାଇଥିଲେ। ଗୁରୁବାର ସକାଳେ ଶବ ପହଞ୍ଚିବା ପରେ ସତ୍କାର କରାଯାଇଛି। ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ହୋଥିବାରୁ ସରକାରୀ ସ୍ତରରୁ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରକାଶଯେ ଗତ ଜାନୁଆରି ମାସରେ ବ୍ଲକ୍‌ର ମୂଷାନାଳ ଗ୍ରାମର ପ୍ରଦୀପ ହରିଜନ (୩୫) ଓ କେନ୍ଦୁଗୁଡ଼ା ଗ୍ରାମର ମୁଗୁନା ମାଝୀ (୩୪) ଦାଦନ ଖଟିବାକୁ କେରଳ ରାଜ୍ୟରେ ପ୍ରାଣ ହରାଇଥିଲେ। ପୁଣି ୯ମାସ ପରେ ଘାସେଙ୍କ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଗଭୀର ଶୋକପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର